ରାଜ୍ୟ ସରକାରଙ୍କ ବିକାଶମୂଳକ କାମକୁ ରାଜ୍ୟପାଳଙ୍କ ଭୁରି ଭୁରି ପ୍ରଶଂସା

1 min read

ଭୁବନେଶ୍ବର: ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା ଆଜିର ଅଧିବେଶନ।  ଦିବଙ୍ଗତ ସଦସ୍ୟ ଓ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ରାଜ୍ୟପାଳ ରଘୁବର ଦାସ। ଗୃହରେ ଅଭିଭାଷଣ ପ୍ରଦାନ କରି ଷୋଡ଼ଷ ବିଧାନସଭାର ୧୫ତମ ଅଧିବେଶନକୁ ସମସ୍ତଙ୍କୁ ସ୍ଵାଗତ କରିଥିଲେ ରାଜ୍ୟପାଳ ରଘୁବର ଦାସ। ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମଏମ ରାଜେନ୍ଦ୍ରନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ ପରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ବିଧାନସଭା ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ଅବସରରେ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନେଇ ସୂଚନା ପ୍ରଦାନ କରିଥିଲେ ରାଜ୍ୟପାଳ ରଘୁବର ଦାସ।

ପୁରୀରେ ୮୦୦ କୋଟି ଟଙ୍କା ବ୍ୟୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପନ୍ନ ହୋଇଛି। ଏହାର ଭୁରି ଭୁରି ପ୍ରଶଂସା କରିଥିଲେ ରାଜ୍ୟପାଳ ରଘୁବର ଦାସ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରାଜ୍ୟ ତଥା ଦେଶବିଦେଶରୁ ଆସୁଥିବା ଭକ୍ତଙ୍କ ଲାଗି ସାମଗ୍ରିକ ଆତ୍ମତ୍ମିକ ଉପଲବ୍ଧୀ ସହ ପରିଭ୍ରମଣର ସୁବିଧା ପ୍ରଦାନ କରିଛି। ଶ୍ରୀମନ୍ଦିର ଐତିହ୍ୟ କରିଡର ଶ୍ରୀମନ୍ଦିର, ନୀଳଚକ୍ର ଓ ମେଘନାଦ ପାଚେରୀ ଦର୍ଶନରେ ଶ୍ରଦ୍ଧାଳୁ, ତୀର୍ଥଯାତ୍ରୀ ଏବଂ ଦର୍ଶନାର୍ଥୀଙ୍କ ଆତ୍ମାତ୍ମିକ ଅନୁଭବ ବୃଦ୍ଧି କରିଛି। ପୁରୀକୁ ଗମନାଗମନ ସୁବିଧା ଲାଗି ସରକାର ଜଗନ୍ନାଥ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ସେହିପରି ୨ଶହ କୋଟି ଟଙ୍କା ବ୍ୟୟରେ ସମ୍ବଲପୁରରେ ସମଲେଇ ପ୍ରକଳ୍ପକୁ ମଧ୍ୟ ପ୍ରଶଂସା କରିଛନ୍ତି। ଶ୍ରୀମନ୍ଦିର ଓ ସମଲେଇ ପ୍ରକଳ୍ପ ଲାଗି ସ୍ଵେଚ୍ଛାକୃତ ଭାବେ ଜମି ପ୍ରଦାନ କରିଥିବା ବ୍ୟକ୍ତିବିଶେଷଙ୍କୁ ପ୍ରତି ସରକାର କୃତଜ୍ଞତା ପ୍ରଦାନ କରିଛନ୍ତି। ପ୍ରାଚୀନ ମନ୍ଦିର ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ଲାଗି ୨୮୦ କୋଟି ଟଙ୍କାର ଏକାମ୍ର ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏଥିରେ ପ୍ରଭୁ ଲିଙ୍ଗରାଜ ମନ୍ଦିରର ଚତୁପାର୍ଶ୍ଵର ଉନ୍ନତିକରଣ କାର୍ଯ୍ୟ ଚାଲିଛି।

ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଏବଂ ଅଭିବୃଦ୍ଧି ଲକ୍ଷ୍ୟରେ ସରକାର ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଏକ ଅନନ୍ୟ ବିକାଶମୂଳକ ପଦକ୍ଷେପ। ଯୁବ ସମ୍ପୃକ୍ତିକରଣ ଏବଂ ସଶକ୍ତୀକରଣ ଲାଗି ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମ ଏକ ଯୁଗାନ୍ତକାରୀ ଅଭିଯାନ। ଓଡ଼ିଆ ଭାଷାର ପ୍ରଚାର, ପ୍ରସାର, ସମୃଦ୍ଧି, ସଂରକ୍ଷଣ ଓ ଉନ୍ନତି ସାଧନ ଲାଗି ସରକାରଙ୍କ ପ୍ରଥମ ଓଡ଼ିଆ ବିଶ୍ଵ ଭାଷା ସମ୍ମିଳନୀ-୨୦୨୪ ଆୟୋଜନ ଏକ ପ୍ରକୃଷ୍ଣ ଉଦ୍ୟମ। ଉତ୍କଳମଣି ଗୋପବନ୍ଧୁଙ୍କୁ କର୍ମଭୂମି ସତ୍ୟବାଦୀଠାରେ ଓଡ଼ିଆ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ସରକାରଙ୍କ ପ୍ରଶଂସନୀୟ ପଦକ୍ଷେପ। 5T ଏବଂ ମୋ ସରକାର ଉପକ୍ରମ ରୂପାନ୍ତରିତ ପ୍ରଶାସନିକ ବ୍ୟବସ୍ଥାର ଏକ ନୂତନ ଯୁଗ ଆରମ୍ଭ ହୋଇଛି। ସରକାରଙ୍କ ବିଭିନ୍ନ ପଦକ୍ଷେପ ଓ କାର୍ଯ୍ୟକ୍ରମକୁ ଲୋକାଭିମୁଖି କରାଇ ଲୋକଙ୍କ ଅଧିକ ନିକଟତର ହୋଇପାରିଛି ।

ସେହିପରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ରାଜ୍ୟର ସମଗ୍ର ମୂଲ୍ୟବୃଦ୍ଧି କ୍ଷେତ୍ରରେ ୨୨.୫ ପ୍ରତିଶତ ଯୋଗଦାନ କରିଥିଲା। କୃଷିକ୍ଷେତ୍ର  ମୋଟ ଶ୍ରମ ଶକ୍ତିର ପ୍ରାୟ ୪୫. ୮୦ ପ୍ରତିଶତ ନିଯୁକ୍ତି ପ୍ରଦାନ କରି ସର୍ବାଧିକ କର୍ମଯୋଗାଣ କରିପାରିଛି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ ୧୪୧. ୩୬ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି। ଧାନ ଉତ୍ପାଦନ ହେକ୍ଟର ପିଛା  ସର୍ବକାଳୀନ ସର୍ବୋଚ୍ଚ ୨ ହଜାର ୯୩୬ କେଜିରେ ପହଞ୍ଚିଛି। ସଫଳତାର ସହ କୃଷି ସମ୍ମିଳନୀ ଆୟୋଜନ।

ସେହିପରି ଓଡ଼ିଶା ମିଲେଟସ ମିଶନ ଆରମ୍ଭ କରିବାରେ ଦେଶରେ ଅଗ୍ରଣୀ ରାଜ୍ୟ ହୋଇଛି ଓଡ଼ିଶା। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ୧୧୩ ଲକ୍ଷରୁ ଅଧିକ ରାସନକାର୍ଡଧାରୀଙ୍କୁ ୧ ଟଙ୍କାରେ ୪ ଲକ୍ଷ କ୍ଵିଣ୍ଟାଲ ମାଣ୍ଡିଆ ଯୋଗାଇ ଦିଆଯାଇଛି। ଭାରତୀୟ କୃଷି ଗବେଷଣା ପରିଷଦ ପକ୍ଷରୁ ଓଡ଼ିଶାକୁ ସର୍ବଶ୍ରେଷ୍ଠ ମିଲେଟସ ପ୍ରୋତ୍ସାହନକାରୀ ରାଜ୍ୟ ଭାବେ ପୋଷକ ଅନାଜ ଆଵାର୍ଡରେ ସମ୍ମାନିତ କରାଯାଇଛି। କାଳିଆ ଯୋଜନା ମାଧ୍ୟମରେ ୬୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଇଛି।  ୩୧୪ ବ୍ଲକରେ ୩୧୪ଟି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ୟୁନିଟ ମାଧ୍ୟମରେ ପ୍ରାଣୀଧନ ପଶୁପାଳକଙ୍କ ଘରେ ମିଳୁଛି ପ୍ରାଣୀ ଚିକିତ୍ସା ସେବା। ରାଜ୍ୟରେ ମତ୍ସ୍ୟ ଉତ୍ପାତନ ୧୦.୫୨ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ଜଳସେଚନ ଭିତ୍ତିଭୂମି ନିର୍ମାଣକୁ ଗୁରୁତ୍ଵ ଦେଇଛନ୍ତି ସରକାର। ଜଳ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଚତୁର୍ଥ ଜାତୀୟ ଜଳ ପୁରସ୍କାର ମିଳିଛି।