୪ମାସ ପାଇଁ ପାରିତ ହେଲା କାମଚଳା ବଜେଟ: ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ
1 min read
ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ବ୍ୟୟ ମଞ୍ଜୁରୀ ବିଲ । ଆସନ୍ତା ୪ ମାସ ପାଇଁ ୧ ଲକ୍ଷ ୬ ହଜାର ୪୯୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଲେଖା ଅନୁଦାନ ବିଲକୁ ଗୃହରେ ଆଗତ କରାଇଥିଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ବ୍ୟୟ ମଞ୍ଜୁର ବିଲ ଉପରେ ଆଲୋଚନା କରି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ଯେ ବଜେଟ କେନ୍ଦ୍ରୀୟ ଯୋଜନା ଉପରେ ସମ୍ପୂର୍ଣ ନିର୍ଭରଶୀଳ। ଗତ ୨୨ ବର୍ଷ ମଧ୍ୟରେ ରାଜ୍ୟରେ କୌଣସି ଆଖି ଦୃଶିଆ ଉନ୍ନତି ହୋଇନାହିଁ।
ସେହିପରି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳ ସେଚନ ଭଳି ପ୍ରସଙ୍ଗ ଉଠାଇ କହିଥିଲେ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ଯେତିକି ଖର୍ଚ୍ଚ ହେବ କଥା ତାହା ବଜେଟ୍ ବ୍ୟବସ୍ଥା କରାଯାଇନାହିଁ। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି କିଛି ମୁଷ୍ଟିମେୟ ଲୋକଙ୍କର ଆୟ ବଢ଼ିଛି । ଧନୀ ଅଧିକ ଧନୀ ହୋଇଛି । ବଜେଟରେ ବିକାଶର ଭିଜନ କି ଦୀର୍ଘ ମିଆଦୀ ଯୋଜନା ନାହିଁ । ସେପଟେ ଅର୍ଥ ମନ୍ତ୍ରୀ କହିଛନ୍ତି ବିରୋଧୀ ଯେଉଁ କଥା କହିଛନ୍ତି ତାହା ନିରାଧାର । ଲେଖା ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଲାଗି ବ୍ୟୟ ବରାଦ କରାଯାଇଥାଏ । ତେଣୁ ନୂଆ ଯୋଜନା ପୂର୍ଣ୍ଣାଙ୍ଗ ବଜେଟ ସମୟରେ ଅଣାଯାଏ ।
ଗତ କାଲି ଗୃହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଆଗତ କରିଥିଲେ । ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ମୋଟ ୨ଲକ୍ଷ କୋଟି ଟଙ୍କା ବଜେଟ ହୋଇଥିବା ବେଳେ ୪ ମାସ ପାଇଁ ଅର୍ଥାତ ଏପ୍ରିଲରୁ ଜୁଲାଇ ମାସ ପାଇଁ ୧ଲକ୍ଷ ୬ହଜାର ୪୯୮କୋଟି ଟଙ୍କାର ବଜେଟ ପାରିତ ହୋଇଛି । ଏଥିରେ ପ୍ରଶାସନିକ ଖର୍ଚ୍ଚ ନିମନ୍ତେ ୮୯,୬୨୦ କୋଟି ଟଙ୍କା ଓ ପ୍ରଶାସନିକ ଖର୍ଚ୍ଚ ନିମନ୍ତେ ୧ଲକ୍ଷ କୋଟି ବ୍ୟୟ ଅଟକଳ କରାଯାଇଛି ।
ତେବେ ଚଳିତ ବଜେଟ ଅଧିବେଶନରେ ମୋଟ ୬ଟି କାର୍ଯ୍ୟ ଦିବସ ଥିଲା। ଦୁଇଟି ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଥିଲା। ୩୫୨ଟି ତାରକା ପ୍ରଶ୍ନ, ୫୪୨ଟି ଅଣତାରକା ପ୍ରଶ୍ନ ଗ୍ରହଣ କରାଯାଇଥିଲା ଚାରୋଟି ଅଧ୍ୟାଦେଶ ଉପସ୍ଥାପନ, ପାଞ୍ଚଟି ସରକାରୀ ବିଧେୟକ ଉପସ୍ଥାପନ ହୋଇଛି।
ଏଥିସହିତ ପଢ଼ନ୍ତୁ: ବଜେଟରେ ବିକାଶର ବାସ୍ନା