ଭୁବନେଶ୍ବର : ଆଜି ବଜେଟ ଅଧିବେଶନର ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ଚାଷୀ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ। ରାଜ୍ୟରେ ଧାନ କିଣା ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟଣୀ ଛଟଣୀ ନେଇ ରାଜ୍ୟରେ ଚାଷୀ ହନ୍ତସନ୍ତ ହେଉଥିବାରୁ ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ।
ଦ୍ୱିତୀୟ ଦିନ ଗୃହ ଆରମ୍ଭରୁ ଚାଷୀ ତାତି ଦେଖିବାକୁ ମିଳିଛି l ପ୍ରଶ୍ନକାଳରେ ଚାଷୀ ସମସ୍ୟା ଉଠାଇଲେ ବିରୋଧୀ ଦଳ । ଗୃହ ମଧ୍ୟ ଭାଗରେ ପ୍ଲାକାର୍ଡ ଧରି ବିଜେଡିର ପ୍ରତିବାଦ । ନକଲି ଚାଷୀ କହି କାହିଁକି ଚାଷୀଙ୍କୁ ଅପମାନ କରୁଛନ୍ତି ସରକାର ବୋଲି ପ୍ରଶ୍ନ କଲେ ବିରୋଧୀ । କଂଗ୍ରେସ ବି ପ୍ରତିବାଦରେ ସାମିଲ ହୋଇଛି । ଗୃହ ମଧ୍ୟ ଭାଗରେ ଥିବା ଟେବୁଲରେ ଧାନ ରଖି ପ୍ରତିବାଦ କରୁଛି ବିଜେଡି ଏବଂ ପ୍ରତିବାଦରେ ବାମପନ୍ଥୀ ବିଧାୟକ ବି ସାମିଲ ହୋଇଛନ୍ତି । ପ୍ରତିବାଦକୁ ଦୃଷ୍ଟିରେ ରଖି ଗୃହକୁ 11:30 ଯାଏଁ ମୂଲତବି ଘୋଷଣା କରିଛନ୍ତି ବାଚସ୍ପତି ।
ସେହିଭଳି କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ, ସମବାୟ, ଶକ୍ତି, ବୟନ ଶିଳ୍ପ, msme, ଓ ବିଜ୍ଞାନ କାରିଗରୀ ବିଭାଗର ପ୍ରଶ୍ନକାଳ ରହିଛି । ଶୂନ୍ୟକାଳରେ ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ଗୃହରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବେ ବୋଲି ଜଣାପଡ଼ିଛି।

