ମୁଲତବୀ ପ୍ରସ୍ତାବ ଆଲୋଚନାବେଳେ ଉଠିଲା ଆମ୍ବ ଟାକୁଆ ମୃତ୍ୟୁ ପ୍ରସଙ୍ଗ : ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ବିଜେଡି ବିଧାୟକ

1 min read

ଭୁବନେଶ୍ବର : ମୁଲତବୀ ପ୍ରସ୍ତାବ ଆଲୋଚନାବେଳେ ଆମ୍ବ ଟାକୁଆ ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ବିଜେପି କଥା କହେ କାମ କରେନି । ଓଡିଶାକୁ ନିଅଣ୍ଟିଆ ରାଜ୍ୟରୁ ବଳକା ରାଜ୍ୟରେ ପରିଣତ କରିଥିଲେ ନବୀନ ପଟ୍ଟନାୟକ । ବିଜେପି ସରକାର ଆସିବା ପରେ ଏହାକୁ ଠିକସେ ଚଳାଇ ପାରିଲା ନାହିଁ କହି ସମାଲୋଚନା କରିଛନ୍ତି ରଣେନ୍ଦ୍ର । ନବୀନ ଆସିବା ପୁର୍ବରୁ ଓଡ଼ିଶାର ଦାରିଦ୍ର୍ୟ ହାର ୬୩ ପ୍ରତିଶତ ଥିଲା । ଏହାକୁ ବହୁ ମାତ୍ରାରେ ହ୍ରାସ କରିବାରେ ସଫଳ ହୋଇଥିଲେ ପୂର୍ବ ସରକାର । ଓଡିଶାର ରୋଲ୍ ମଡେଲ ସାଜିଥିଲା ଖାଦ୍ୟ ସୁରକ୍ଷା ଆଇନ । ନବୀନ ଏକ ସୁନ୍ଦର ଢାଞ୍ଚା ବିଜେପି ସରକାରଙ୍କୁ ଦେଇକି ଯାଇଥିଲେ । ୫ମାସ ଭିତରେ ତାହାକୁ ବିଗାଡିଦେଇଛି ବିଜେପି । ମାଙ୍କଡ ହାତରେ ଯେପରି ଶାଳଗ୍ରାମ, ବିଜେପି ହାତରେ ସେପରି ସରକାର । ୨୦୧୮ରେ ବିଜେପି କହୁଥିଲା ଆମ୍ବ ଟାକୁଆ ଅଖାଦ୍ୟ l ଏବେ କହୁଛନ୍ତି ଏହା ଖାଦ୍ୟ । ମାଣ୍ଡିପକାରେ ୩ଜଣ ଆଦିବାସୀଙ୍କ ମୃତ୍ୟୁ ପାଇଁ ଯୋଗାଣ ମନ୍ତ୍ରୀ ଦାୟୀ  । ତେଣୁ ସେ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ରଣେନ୍ଦ୍ର । ସେହିପରି ବିଜେଡି ସଦସ୍ଯ ବ୍ଯୋମକେଶ ରାୟ ମଧ୍ଯ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । କହିଛନ୍ତି, ମୁଖ୍ୟମନ୍ତ୍ରୀ ନଭେମ୍ୱର ୫ ତାରିଖରେ ସମୀକ୍ଷା କରି ନିର୍ଦ୍ଦେଶ ଦେଲେ ୩ ମାସ ଚାଉଳ ଦେବାକୁ । ଯୋଗଣ ମନ୍ତ୍ରୀଙ୍କୁ ଏହା ଶକ୍ତ ଚାପୁଡ଼ା  । କାରଣ ଯୋଗଣ ମନ୍ତ୍ରୀ ପୁର୍ବରୁ ବାରମ୍ୱାର କହୁଥିଲେ ଚାଉଳ ଦିଆଯାଇଛି ବୋଲି  । ତେଣୁ ଯୋଗାଣ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ  ।  ସେପଟେ ଆମ୍ବ ଟାକୁଆ ପ୍ରସଙ୍ଗରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ରାଜନ ଏକ୍କା । ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଯାଇ ପାରୁଛନ୍ତି, ହେଲେ ମାଣ୍ଡିପଙ୍କା ଯାଇପାରୁ ନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ଖାଦ୍ଯ ଅଭାବରୁ ଅଖାଦ୍ଯ ଖାଇ ଆଦିବାସୀଙ୍କ ମୃତ୍ଯୁ ହୋଇଛି । ୩୫ କେଜି ଚାଉଳ ଦିଆଯାଉ । ଆମ୍ବ ଟାକୁଆ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ  । ପେଶା ଆଇନକୁ ଜଲଦି ଲାଗୁ କରାଯାଉ l ମନ୍ତ୍ରୀଙ୍କ ଉତ୍ତର ସନ୍ତୋଷ ଜନକ ନୁହେଁ ବୋଲି କହିଛନ୍ତି ରାଜନ । ଏହି ପ୍ରସଙ୍ଗରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ କଂଗ୍ରେସ ଆଦିବାସୀ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କ ଜବାବ ଦେଇଛନ୍ତି । ଆମ୍ବ ଟାକୁଆ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ନୁହେଁ । କିନ୍ତୁ ଦଳୀୟ ଭିତ୍ତିରେ ନେଇ ଉପ ମୁଖ୍ୟମନ୍ତ୍ରୀ ଏହାକୁ ପାରମ୍ପାରିକ ଖାଦ୍ୟ ବୋଲି କହିଛନ୍ତି ବୋଲି କହିଛନ୍ତି ପ୍ରଫୁଲ୍ଲ । ସେପଟେ ଏହା ଉପରେ ବିବୃତି ରଖିଛନ୍ତି ଖାଦ୍ଯ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । କନ୍ଧମାଳ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଜାଉ ଖାଇ ଯେଉଁ ତିନି ଜଣଙ୍କ ମୃତ୍ଯୁ ହୋଇଛି ତାହା ଅନାହାର ମୃତ୍ୟୁ ନୁହଁ ବୋଲି କହି ପୁଣି ବିତଣ୍ଡା ଯୁକ୍ତି ବାଢିଛନ୍ତି ମନ୍ତ୍ରୀ ।