ବିଧାନସଭାରେ ଅଭିନବ ଉପାୟରେ ପ୍ରତିବାଦ, ଘଣ୍ଟ ଘଣ୍ଟା, ମହୁରୀ ବଜାଇ ସରକାରଙ୍କୁ ଘେରିଲେ ବିରୋଧୀ

1 min read

ଭୁବନେଶ୍ବର : ଗୁରୁବାର ହୁଇସିଲ ବଜାଇ ପ୍ରତିବାଦ l ଆଜି ଘଣ୍ଟ ଘଣ୍ଟା, ମହୁରୀ ଧରି ପ୍ରଥମେ ପୋଡ଼ିୟମ ନିକଟରେ ଓ ପରେ ବିଧାନସଭା ବାହାରେ ପରିକ୍ରମା କରି ପ୍ରତିବାଦ l ନାରୀ ନିର୍ଯାତନା ଓ ଗର୍ଭବତୀ ନାବାଳିକାଙ୍କୁ ନ୍ୟାୟ ଦେବା ଦାବିରେ ୧୦ ଦିନ ଧରି ଅଚଳ ହୋଇଛି ବିଧାନସଭା। ସରକାର ହାଉସ କମିଟି ଗଠନ ଦାବି ଶୁନୁନଥିବାରୁ ଅଭିନବ ଉପାୟରେ ଶାସକ ବିଜେପିକୁ ଘେରିଛନ୍ତି କଂଗ୍ରେସ ବିଧାୟକ। ଗୃହ କାର୍ଯ୍ୟ ଆରମ୍ଭରୁ କଂଗ୍ରେସ ବିଧାୟକଙ୍କ ଘଣ୍ଟଘଣ୍ଟା ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ବିଧାନସଭା । କଳା ପୋଷାକ ପିନ୍ଧି ପୋଡିୟମ ନିକଟରେ ପ୍ରତିବାଦ କରିଥିଲେ କଂଗ୍ରେସ ସଦସ୍ୟ। ବାଚସ୍ପତି ଗୃହକୁ ମୁଲତବି କରିବାରୁ ବିଧାନସଭା ପରିକ୍ରମା କରି ନାରାବାଜି ଦେଇଥିଲା କଂଗ୍ରେସ। ଯେ ପର୍ଯ୍ୟନ୍ତ ସରକାର ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେଇ ନାହାନ୍ତି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି ଦଳ।

ଅନ୍ୟପଟେ ବିଧାନସଭାରେ ବିରୋଧୀଙ୍କ ସ୍ଵରକୁ ଚପାଇ ଦେବାକୁ ଶାସକ ଦଳର ଷଡଯନ୍ତ୍ରକୁ ଦୃଢ଼ ବିରୋଧ କରିଛି ମୁଖ୍ୟ ବିରୋଧୀ ବିଜେଡି। ବିଧାନସଭାରେ ବିଜେପିର ଏକଛାତ୍ରବାଦ ଶାସନ ଚଳିବ ନାହିଁ ସ୍ଳୋଗାନ ଦେଇ ନାରାବାଜି ଓ ପ୍ରତିବାଦ କରିଛି ବିଜେଡି। ଶାସକ ଦଳର ନେତା ଓ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିରୋଧୀଙ୍କ କଣ୍ଠରୋଧ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ ବିଧାୟକ ଅରୁଣ ସାହୁ। ଗୃହ କାର୍ଯ୍ୟ କିପରି ଚାଲିଛି, ତାହା ସରକାର ଦେଖାନ୍ତୁ। ସେହିପରି ଗଣମାଧ୍ୟମ ଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କ ସ୍ବରକୁ ଚପାଇ ଦେବାକୁ ସରକାର ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ବିଧାୟକ ଧୃବ ସାହୁ। କଂଗ୍ରେସ ମଧ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛି। ବିଜେପି କିନ୍ତୁ ବିରୋଧୀଙ୍କ ଅଭିଯୋଗକୁ ହାଲକା ଭାବେ ନେଇଛି l  କଂଗ୍ରେସ ଓ ଶାସକ ବିଜେପି ନିଜ ନିଜ ଜିଦରେ ଅଟଳ ଥିବାରୁ ଚାଲିପାରୁନି ବିଧାନସଭା। ପ୍ରଶ୍ନକାଳ, ଶୂନ୍ୟକାଳ ପରି ଗୁରୁତ୍ଵପୂର୍ଣ୍ଣ ସମୟ ବେକାର ଯାଉଛି। ଅନ୍ୟପଟେ ଶାସକ ବିଜେପି କେଉଁ ଗୁପ୍ତ କଥାକୁ ଲୁଚାଇବା ପାଇଁ ବିଧାନସଭାରେ ଗଣମାଧ୍ୟମ ଓ ବିରୋଧୀ ଦଳର କଣ୍ଠରୋଧ କରୁଛି, ତାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ଯାହାକୁ ନେଇ ବ୍ୟାକଫୁଟରେ ରହିଛି ଶାସକ ବିଜେପି।