ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି

ଭୁବନେଶ୍ବର : ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଏଥି ସହିତ ବାଚସ୍ପତିଙ୍କ ଉପରକୁ ପୋଷ୍ଟର ଫୋପାଡ଼ି ଟଙ୍କିକିଆ ଚକଲେଟ ଦେଇଥିଲେ କଂଗ୍ରେସ ବିଧାୟକ। ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ରାଜ୍ୟ ସରକାର ନିଷ୍କ୍ରିୟ ଥିବା ବେଳେ ବାଚସ୍ପତି ଏଥିରେ ହସ୍ତକ୍ଷେପ କରୁନାହାଁନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯ୍ୟାତନା ପ୍ରସଙ୍ଗକୁ ନେଇ ଆଜି ଦିନ ତମାମ କଂଗ୍ରେସ ବିଧାନସଭାରେ ହଟ୍ଟଗୋଳ କରିଛି । ଏହି ପ୍ରସଙ୍ଗରେ ଆଜି ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଥିଲା । ପରେ ପ୍ରଶ୍ନକାଳରେ କଂଗ୍ରେସ ବିଧାୟକମାନେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ବିରୋଧରେ ଗର୍ଜନ କରିଥିଲେ। ସନ୍ଧ୍ୟାରେ ଗୃହକୁ ସ୍ବାଭାବିକ ସ୍ଥିତିକୁ ଆଣିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ତାହା ଫେଲ ମାରିଥିଲା । କଂଗ୍ରେସ ଓ ବିଜେଡି ବିଧାୟକଙ୍କ ହଟ୍ଟଗୋଳ ମଧ୍ୟରେ ଖର୍ଚ୍ଚଦାବି ଆଲୋଚନା ପାଇଁ ବାଚସ୍ପତି ଅନୁମତି ଦେବାରୁ କଂଗ୍ରେସ ବିଧାୟକମାନେ ଅଧିକ ଉତ୍ତେଜିତ ହୋଇଥିଲେ । ପରେ କକ୍ଷତ୍ୟାଗ କରି କଂଗ୍ରେସ ବିଧାୟକମାନେ ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଥିଲେ ।