ବିଧାନସଭା ବିଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ, ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ

ଭୁବନେଶ୍ବର : ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ। ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଲା ଓ ହଟ୍ଟଗୋଳରୁ ଚାଲିପାରୁନାହିଁ ଗୃହ । ପୋଡିୟମ ନିକଟରେ ହଟ୍ଟଗୋଳ ସହିତ ନାରାବାଜି କରିଥିଲେ ବିରୋଧୀ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦିନ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ଆଜିର ଗୃହ କାର୍ଯ୍ୟ ଆରମ୍ଭରୁ ପ୍ରଥମେ ହଟ୍ଟଗୋଳ ଯୋଗୁଁ ଦିନ ୧୨ଟା ଯାଏଁ ଗୃହକୁ ମୁଲତବୀ ରଖିଥିଲେ ବାତସ୍ପତି । ଦ୍ଵିତୀୟ ଥର ଗୃହକାର୍ଯ୍ୟ ଆରମ୍ଭ ବେଳେ ମଧ୍ୟ ପୁଣି ବିରୋଧୀ ହଟ୍ଟଗୋଳ କରିଥିଲେ । ବିଜୁ ଜୟନ୍ତୀରେ ବିଜୁ ପଟ୍ଟନାୟକଙ୍କ ପ୍ରତି ଅସମ୍ମାନ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ ବିଜେଡି ସଦସ୍ୟ । କାହିଁକି ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସକୁ ବିଜୁ ଜୟନ୍ତୀ ଦିନରୁ ବାତିଲ କରାଗଲା ସେ ନେଇ ବିଜେଡି ପ୍ରଶ୍ନ କରିଛି। ଗୃହ ମୁଲତବି ପରେ ବିଧାନସଭା ପରିସରରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ବସି ବିଜେଡି ସଦସ୍ୟ ପ୍ରତିବାଦ କରିଥିଲେ। ପ୍ଲାକାର୍ଡ ଧରି ବିଜୁ ମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବିଜେଡି ବିଧାୟକ। ବିଜୁ ବାବୁଙ୍କୁ ଅସମ୍ମାନ ପ୍ରସଙ୍ଗ ନେଇ ଆଜି ଅପରାହ୍ନ ସାଢେ ୩ଟାରେ ରାଜ୍ୟପାଳଙ୍କୁ ଭେଟି ଜଣାଇବ ବିଜେଡି ଟିମ। ଆଜି ବିଧାନସଭା ବଜେଟ ଅଧିବେଶନ ଦ୍ଵିତୀୟ ପର୍ଯ୍ୟାୟରେ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି, କ୍ରୀଡା ଓ ଯୁବ କଲ୍ୟାଣ, ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରଶ୍ନକାଳ ରହିଛି। ଆସନ୍ତା ୧୦ ତାରିଖରୁ ବଜେଟ ଉପରେ ବିଭାଗ ୱାରି ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ।