ମିଶନ ଶକ୍ତି ମହିଳାଙ୍କ ଦରମା ବୃଦ୍ଧି ନେଇ ବିଧାନସଭାରେ ତୁମ୍ବିତୋଫାନ
1 min readଭୁବନେଶ୍ବର : ମିଶନ ଶକ୍ତି ମହିଳାଙ୍କ ଦରମା ବୃଦ୍ଧି ନେଇ ବିଧାନସଭାରେ ତୁମ୍ବିତୋଫାନ । ଦରମା ଦେବା ଦାବିରେ ଗୃହରେ ବିଜେଡିର ଗର୍ଜନ । .ରଣେନ୍ଦ୍ର କହିଲେ ମିଶନ ଶକ୍ତିକୁ ବନ୍ଦ ପାଇଁ ହୋଇଛି ଷଡଯନ୍ତ୍ର । ଅରୁଣ କହିଲେ ଉପ ମୁଖ୍ୟମନ୍ତ୍ରୀ ମହିଳାଙ୍କ ପ୍ରତି ଅପଶବ୍ଦ ନକୁହନ୍ତୁ । ବର୍ଷିଲା କଂଗ୍ରେସ୍, ଜବାବ ଦେଲେ ମନ୍ତ୍ରୀ । ବିଜେପି ସରକାର ମିଶନ ଶକ୍ତିର ସିଆରପି,ଏମବିକେ, ବ୍ୟାଙ୍କ ମିତ୍ର, ପାଣି ମିତ୍ରଙ୍କ ୯ ମାସ ଦରମା ବନ୍ଦ କରିବାକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଛି l ଏନେଇ ବିଜେଡି ମୁଲତବୀ ପ୍ରସ୍ତାବ ଦେଇ ସରକାରଙ୍କୁ ସିଧା ନିଶାନା କରିଥିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ସେ କହିଛନ୍ତି ଯେ ସରକାର ଆସିବ ଯିବ କିନ୍ତୁ ସମସ୍ୟା ସମାଧାନ କରିବା ସରକାରଙ୍କ ଦାୟିତ୍ଵ। ଏମଏସପି ଆଉ ସୁଭଦ୍ରା ବିଜେପି ବର୍ତ୍ତମାନ ଦୁଇଟି ଗୋଡ଼ରେ ଠିଆ ହୋଇଛି। ଏମଏସପି ଭୁଶୁଡି ଗଲାଣି । ଆଉ ସୁଭଦ୍ରାରେ ସରକାର ଏକ୍ସପୋଜ ହୋଇ ସାରିଛନ୍ତି। ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରାଯାଇଛି। ଗତବର୍ଷ ମିଶନ ଶକ୍ତି ପାଇଁ ୩ ହଜାର ୪ କୋଟି ବଜେଟ ହୋଇଥିବା ବେଳେ ଏଥର ୨ ହଜାର ୭୦୦ କୋଟି ଟଙ୍କା ବଜେଟ ହୋଇଛି। ଡବଲ ଇଞ୍ଜିନ ସରକାର ଡବଲ ଷ୍ଟାଣ୍ଡାର୍ଡ। ମହାରାଷ୍ଟ୍ର, ହରିଆନା, ଛତିଶଗଡ଼ରେ ମହିଳାଙ୍କ ପାଇଁ ଅଧିକ ସୁବିଧା ଥିବା ବେଳେ ଓଡ଼ିଶାରେ ମାଆମାନଙ୍କୁ ଅବହେଳା କରାଯାଇଛି। ମାଆ ମାନେ ରାସ୍ତାରେ ବସିଛନ୍ତି। ତୁରନ୍ତ ସେମାନଙ୍କ ଦାବି ଉପରେ ଧ୍ୟାନ ଦିଆଯାଉ। ବିଜେଡି ବିଧାୟକ ଅରୁଣ ସାହୁଙ୍କ କହିଥିଲେ ଯେ ସବୁ ଦୋଷ ପୂର୍ବ ସରକାର କହିବା ଟ୍ୟାଗ୍ ଲାଇନ୍ ସୃଷ୍ଟି କରୁଛନ୍ତି ରାଜ୍ୟ ସରକାର । ଶୀତ କାକରରେ ହଜାର ହଜାର ମାଆ ମାନେ ରାଜରାସ୍ତାରେ ଅଛନ୍ତି । ସେଠାରେ ରାତ୍ରି ବି ଯାପନ କରୁଛନ୍ତି କିନ୍ତୁ ସରକାର ନୀରବ ଦ୍ରଷ୍ଟା ।
ସେପଟେ ମିଶନ ଶକ୍ତି ମହିଳାଙ୍କ ଦରମା ବନ୍ଦ ଓ ୩ଦିନ ଧରି ମହିଳାମାନେ ହକ ପାଇଁ ବିଧାନସଭା ଆଗରେ ଅହରାତ୍ରୀ ଧାରଣ ଦେବାକୁ ନେଇ ରାଜ୍ୟ ସରକାରଙ୍କ ଉପରେ କଂଗ୍ରେସ ମଧ୍ୟ ବର୍ଷିଛି l ମୁଲତବୀ ଆଲୋଚନାରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୌସ ଅଭିଯୋଗ କରିଛନ୍ତି ଯେ ମିଶନ ଶକ୍ତି ମହିଳାଙ୍କୁ ନେଇ ପରସ୍ପରକୁ କେବଳ ଦୋଷାରୋପ କରାଯାଉଛି । ମିଶନ ଶକ୍ତି ମହିଳାମାନେ ସଶକ୍ତ ହେବାର ସ୍ଵପ୍ନ ଦେଖିଛନ୍ତି । ସ୍କୁଟି ଋଣ ନେଇଛନ୍ତି । ଏବେ ସ୍କୁଟି ଋଣ କେମିତି ସୁଝିବେ ଚିନ୍ତାରେ ପଡ଼ିଛନ୍ତି । ସେମାନେ ତିନି ଦିନ ହେଲା ବସିଲେଣି, ହେଲେ ପାଣି ଟୋପେ ବି ଦେଇ ନାହାନ୍ତି ରାଜ୍ୟ ସରକାର। ବୁଝା ପଡୁନାହିଁ, ସେମାନଙ୍କ ଦାବି ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ କିଏ ଅଟକାଉଛି । ଏପରିକି ମିଶନ ଶକ୍ତିର ହେଲ୍ପ ଲାଇନ ନମ୍ବର ବି କାମ କରୁନି । ସେପଟେ ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି l ସରକାର ମୁକ ହୋଇ ବସିବା ପୁରା ମିଛ କଥା । ଯେଉଁମାନେ ଆନ୍ଦୋଳନରେ ବସିଛନ୍ତି, ସେମାନେ ମିଶନ ଶକ୍ତି ମହିଳା ନୁହନ୍ତି, ସେମାନେ ମିଶନ ଶକ୍ତିର କମ୍ୟୁନିଟି ଷ୍ଟାଫ । ଯେଉଁ ମାନଙ୍କର ପାଂଚ ବର୍ଷ ଅବଧି ପୁରିଯାଇଛି । ସେମାନେ ଦରମା ପାଇ ସାରିଛନ୍ତି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି l