ଆଳୁ ଚାଷକୁ ନେଇ ସରଗରମ ଗୃହ
1 min read
ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ । ବିଧାନସଭା ଶୀତକାଳୀନ ଅଧିବେଶନର ପ୍ରଶ୍ନ କାଲରେ ଆଳୁ ଚାଷକୁ ନେଇ ସରଗରମ ହୋଇଛି ଗୃହ କାର୍ଯ୍ୟ। ଆଳୁଚାଷ ବିହନକୁ ନେଇ ବିଧାନସଭାରେ ପ୍ରଶ୍ନ ରଖିଥିଲେ ବିରୋଧୀ।ଚଳିତବର୍ଷ କେତେ ଟନ୍ ଆଳୁ ଉତ୍ପାଦନ ପାଇଁ ଧାର୍ଯ୍ୟ ରଖିଛନ୍ତି ସରକାର ବୋଲି ପ୍ରଶ୍ନ କରିଥିଲେ ବିଧାୟକ ଅଶ୍ବିନୀ ପାତ୍ର । କମ୍ ଖର୍ଚ୍ଚରେ ନଦୀବାଲିରେ ଆଳୁଚାଷ କରିବାକୁ ଚାଷୀଙ୍କୁ ଉତ୍ସାହିତ କରିବେ କି ଉପ-ମୁଖ୍ୟମନ୍ତ୍ରୀ ? ଆଳୁ ସହ ଖମ୍ବଆଳୁ ଚାଷ କରିବାକୁ ଉତ୍ସାହିତ କରିବେ କି ବୋଲି ସେ ପ୍ରଶ୍ନ କରିଥିଲେ । ଆଳୁର ବିକଳ୍ପ ଭାବେ କେଉଁ ପରିବା ବ୍ୟବହାର କରାଯାଇପାରିବ ସେ ଉପରେ ସରକାର ଗବେଷଣା କଲେଣି କି ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ଗଣେଶ୍ଵର ବେହେରା। ଆଳୁର ଉତ୍ପାଦନ ବଢାଇବା ପାଇଁ ସରକାର କ’ଣ କରୁଛନ୍ତି କହିବେ କି ବୋଲି ସେ ପ୍ରଶ୍ନ କରିଥିଲେ । ଶୀତଳ ଭଣ୍ଡାରକୁ କମର୍ସିଆଲ୍ ନକରି ଡୋମେଷ୍ଟିକ୍ ଅନ୍ତର୍ଭୁକ୍ତ କରିବା ପାଇଁ ଚେଷ୍ଟା କରିବେ କି ବୋଲି ପ୍ରଶ୍ନ କରିଥିଲେ ରାଜେନ୍ଦ୍ର ଢୋଲକିଆ । ରାଜ୍ୟକୁ ସ୍ବାବଲମ୍ବୀ କରିବା ପାଇଁ ଚାଷୀ ଚାହୁଁଛନ୍ତି କିନ୍ତୁ ରାଜ୍ୟ ସରକାର ଆଗେଇ ଆସୁନାହାନ୍ତି । ବିହନ ଦେଲା ପରେ ଚାଷୀ କେତେ ଉତ୍ପାଦନ କଲା, କେତେ ବିକିଲା ଧ୍ୟାନ ଦେଉନାହାନ୍ତି ସରକାର ବୋଲି କହିଥିଲେ ରାମଚନ୍ଦ୍ର କାଡାମ୍ । ଆଳୁଚାଷ ଉପରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ରବି ଋତୁରେ ଆଳୁ ଚାଷ ପାଇଁ ୬୪ କୋଟି ଖର୍ଚ୍ଚ ହୋଇଛି । ୧୫ ହଜାର ୨୩ ହେକ୍ଟର ଜମିରେ ଆଳୁ ଚାଷ ପାଇଁ ଯୋଜନା ହୋଇଛି । ୧୮ଟି ସମବାୟ ଶୀତଳ ଭଣ୍ଡାରରୁ ୨ଟି କାର୍ଯ୍ୟକ୍ଷମ ଅଛି । ଉଦ୍ୟାନ କୃଷି ଅଧୀନରେ ଥିବା ୪ଟି ଶୀତଳ ଭଣ୍ଡାର ବନ୍ଦ ପଡ଼ିଛି । ଘରୋଇ ସଂସ୍ଥା ଭାବେ ଥିବା ୩୩ଟି କାର୍ଯ୍ୟକ୍ଷମ ଅଛି । ସମୁଦାୟ ୧୩୩ ରୁ ୩୫ଟି କାର୍ଯ୍ୟକ୍ଷମ ରହିଛି । ରାଜ୍ୟରେ ପିପିପି ମୋଡରେ ୫୮ଟି ଶୀତଳ ଭଣ୍ଡାର ନିର୍ମାଣ ହେବ । ଏହା ହାଇବ୍ରିଡ୍ ଢାଞ୍ଚାରେ ନିର୍ମାଣ ହେବ । ଯାହା ବିଦ୍ୟୁତ ଓ ସୌର ଚାଳିତ ହେବ ବୋଲି ଉପ-ମୁଖ୍ୟମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।