ଚଳଚଞ୍ଚଳ ବିଧାନସଭା,କାଲିଠୁ ଦୁଇ ଦିନ ଧରି ଶପଥ ଗ୍ରହଣ କରିବେ ନୂଆ ବିଧାୟକ

ଭୁବନେଶ୍ୱର : ଆସନ୍ତା ୨୦ ତାରିଖରେ ବିଧାନସଭା ବାଚସ୍ପତି ନିର୍ବାଚନ ହେବ। ଏହା ପୂର୍ବରୁ ୧୮ ଏବଂ ୧୯ ତାରିଖରେ ଦୁଇ ଦିନ ଧରି ନୂଆ ବିଧାୟକ ଶପଥ ଗ୍ରହଣ କରିବେ। ପ୍ରୋଟେମ୍‌ ସ୍ପିକର ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଥମେ ନୂଆ ବିଧାୟକଙ୍କ ଶପଥ ପାଠ କରାଇବେ। ଏହାପରେ ଜୁନ୍ ୨୦ ତାରିଖରେ ନୂଆ ବାଚସ୍ପତି ଚୟନ ପାଇଁ ନିର୍ବାଚନ ହେବ । ଏହା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି ଡିଜିପି ଅରୁଣ ଷଡଙ୍ଗୀ।

ଡିଜିପିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ପୋଲିସ କମିଶନର ସଞ୍ଜୀବ ପଣ୍ଡା, ଗୁଇନ୍ଦା ବିଭାଗ ଆଇଜି ଅନୁପ ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ୩ ଥାକିଆ ସୁରକ୍ଷା ବଳୟ ସହ ବିଧାନସଭା ଓ ଆଖପାଖ ଅଞ୍ଚଳ ପୋଲିସ ଛାଉଣୀ ହେବ। ୮ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏସଓଜି, ଷ୍ଟ୍ରାଇକିଂ ଫୋର୍ସ, ବୋମା ନିସ୍କ୍ରିୟକାରୀ ଦଳ, କ୍ୟୁଏଟି, ଡଗ ସ୍କ୍ୱାର୍ଡ, ଅଗ୍ନିଶମ ବିଭାଗ ସବୁ ଦିଗ ଉପରେ କଡ଼ା ନଜର ରଖିବେ।

ଲୋୟର ପିଏମଜିରେ ଏଥର ଧାରଣା ପାଇଁ ଅନୁମତି ମିଳିବ ନାହିଁ। ତଥାପି ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୋୟର ପିଏମଜି, ରବୀନ୍ଦ୍ର ମଣ୍ଡପ ଛକ ଓ ସଂଲଗ୍ନ ରାସ୍ତାରେ ସିସିଟିଭି ବ୍ୟବସ୍ଥା ହେବ। ସୁରକ୍ଷାକୁ ଅଧିକ କଡାକଡି କରିବା ପାଇଁ ଅସ୍ଥାୟୀ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯାଇଛି । ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ଆହୋରାତ୍ର ଜଗିବେ। ବିଧାନସଭା ଛାତ ଉପରେ ରୁଫ ଟଫ ପୋଲିସ ରହିବେ। ପ୍ରବେଶ ପଥରେ ଚେକପୋଷ୍ଟ କରାଯିବା ସହିତ ବିଧାନସଭାକୁ ସଂଯୋଗ କରୁଥିବା ରୁଟକୁ ଡାଇଭର୍ଟ କରାଯିବ ।