ଫୋର୍ବସ ତାଲିକାରେ ସୁନ୍ଦରଗଡ଼ର ଆଶା ଦିଦି ମାତିଲଦା କୁଲ୍ଲୁ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଫୋର୍ବସ ଇଣ୍ଡିଆ ପକ୍ଷରୁ ୨୦୨୧ ବର୍ଷ ପାଇଁ ପ୍ରକାଶ ପାଇଛି ପାଓ୍ୱାରଫୁଲ ଓ୍ୱିମେନ୍‌ଙ୍କ ତାଲିକା । ଆଉ ଏଥିରେ ସ୍ଥାନ ପାଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଆଶା ଦିଦି ମାତିଲଦା କୁଲ୍ଲୁ । ଯାହାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ ଯୋଗେ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ, ସେ କୋଭିଡ ଯୁଦ୍ଧରେ ସମର୍ପିତ ହଜାର ହଜାର କୋଭିଡ ଯୋଦ୍ଧାଙ୍କ ପ୍ରତୀକ । ଯେଉଁମାନେ ବହୁ ମୂଲ୍ୟ ଜୀବନ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ବୋଲି ଲେଖିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ବାରାଗାଁ ତହସିଲ ଅନ୍ତର୍ଗତ ଗୋରଗାଡ଼ବାହାଲ ଗାଁର ମହିଳା ମାତିଲଦା କୁଲ୍ଲୁ ଆଶା ଦିଦି ଭାବେ କାର୍ଯ୍ୟ କରୁଛନ୍ତି ।  ସେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଲୋକଙ୍କ ନିକଟତର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଫୋର୍ବସ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ସେ ସକାଳ ୫ ଟାରୁ ଘରୁ ଉଠି ନିଜ ଘରର ସମସ୍ତ କାମ ଶେଷ କରି ପ୍ରତିଟି ଲୋକଙ୍କ ପାଖକୁ ପହଞ୍ଚନ୍ତି । ସ୍ୱାସ୍ଥ୍ୟ ସେବା ବିଷୟରେ ଲୋକଙ୍କୁ ସଚେତନ କରନ୍ତି ।

ଅନ୍ଧବିଶ୍ୱାସ, ଜାତିବାଦ ଏବଂ ଅସ୍ପୃଶ୍ୟତା ଭଳି ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି ୪୫ ବର୍ଷୀୟା ମାତିଲଦା କୁଲ୍ଲୁ । ସେ ଗ୍ରାମାଞ୍ଚଳରେ ଗୁଣିଗାରେଡି ରୋକିବା ସହ ଲୋକଙ୍କୁ ମେଡିକାଲ ସୁବିଧା ବିଷୟରେ ସଚେତନ କରିଛନ୍ତି । ଲୋକଙ୍କୁ ଔଷଧ ସହ ମେଡାକାଲ ବିଷୟରେ ଶିକ୍ଷା ଦେଇଥିଲେ। କୋଭିଡ -୧୯ ଆରମ୍ଭରୁ କୁଲ୍ଲୁ କାର୍ଯ୍ୟ କରିଆସୁଛନ୍ତି । ସେ ମାସିକ ୪୫୦୦ ଟଙ୍କା ଦରମାରେ ଗାଁର ପ୍ରାୟ ୯୪୬ ଲୋକଙ୍କୁ ସେବାଯୋଗାଇ ଆସୁଛନ୍ତି ।

ସେ ଘର ପରିଦର୍ଶନ ବ୍ୟତୀତ, ଔଷଧ ଯୋଗାଇବା, ଗର୍ଭବତୀ ମହିଳାଙ୍କୁ ସହାୟତା କରନ୍ତି । ଏହା ସହ ସେ, ଅନ୍ୟାନ୍ୟ ନିୟମିତ କାର୍ଯ୍ୟଗୁଡ଼ିକ ହେଉଛି ଆଣ୍ଟେନେଟାଲ୍ / ପୋଷ୍ଟନାଟାଲ୍ ଚେକ୍ ଅପ୍, ପ୍ରତିରୋପଣ, ସାନିଟାଇଜେସନ୍, ସ୍ୱଚ୍ଛତାକୁ ପ୍ରୋତ୍ସାହନ ଦେବା, ପୋଲିଓ ଏବଂ ଅନ୍ୟାନ୍ୟ ଟିକାକରଣ, ସର୍ଭେ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଛନ୍ତି । ମାତିଲଦା କହୁନ୍ତି ଯେ, ସେ ଯେଉଁ କାର୍ଯ୍ୟ କରନ୍ତି ସେ ସେଥିପାଇଁ ଗର୍ବ ଅନୁଭବ କରନ୍ତି । କହିଁକି ତାଙ୍କ ଦ୍ୱାରା ଅନେକ ଲୋକଙ୍କ ଜୀବନ ରକ୍ଷା ହୋଇପାରିଛି ।

ମାତିଲଦାଙ୍କ ସହିତ ଆମାଜନ ପ୍ରାଇମ୍ ଭିଡିଓର ଭାରତ ମୁଖ୍ୟ ଅପର୍ଣ୍ଣା ପୁରୋହିତ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ପୂର୍ବତନ ଚେୟାରମ୍ୟାନ୍ ଅରୁଣନ୍ଦତି ଭଟ୍ଟାଚାର୍ଯ୍ୟ, ମାଡ୍ ଷ୍ଟ୍ରିଟ୍ ଡିନର ପ୍ରତିଷ୍ଠାତା ଏବଂ ସିଇଓ ଅଶ୍ୱିନୀ ଅଶୋକାନ୍, ପାରା ସୁଟର ଅବନୀ ଲେଖାରା, ପାରା ଆଥଲେଟ ଭାବନୀ ପଟେଲ, ପରିବେଶ ସାମାଜିକ କର୍ମୀ ଦିଶା ରାବି, କିନ୍ନର କ୍ୟାପିଟାଲର ପ୍ରତିଷ୍ଠାତା ଓ ସିଇଓ ହାର୍ଦ୍ଦିକ ଶାହ, ବିଓ୍ୱାଇଏଲ୍ ନାୟର ହସ୍ପିଟାଲ ମାଇକ୍ରୋବୟୋଲୋଜି ବିଭାଗ ମୁଖ୍ୟ ଡ. ଜୟନ୍ତୀ ଶାସ୍ତ୍ରୀ, ବ୍ରେନ୍ ସାଇଟ୍ ଏଆଇ ସିଇଓ ଏବଂ ସିଟିଓ ଲାଇନା ଇମାନୁଏଲ, ରମିଝିମ୍ ଅଗ୍ରଓ୍ୱାଲ, ଜିଷ୍ଟ ମନି ସିଇଓ ଏବଂ ଫାଉଣ୍ଟର ଲିଜ୍ଜୀ ଚାପମ୍ୟାନ୍, ଆଷ୍ଟ୍ରୋମେ କୋ ଫାଉଣ୍ଡର ଏବଂ ସିଇଓ ନେହା ସାତକ୍, ଆର୍କିଟେକ୍ ପ୍ରତିମା ଯୋଶୀ, ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭାଇରାଲୋଜି ଡ. ପ୍ରିୟ ଆବ୍ରାହମ୍, ଭାରତୀୟ ମହିଳା ହକି ଦଳର ଅଧିନାୟକ ରାଣୀ ରାମପାଲ, ଅଭିନେତ୍ରୀ ରାଶିକା ଦୁଗାଲ, ଆଇପିଏସ୍ ଅଧିକାରୀ ରୀମା ରାଜେଶ୍ୱରୀ, ଅଭିନେତ୍ରୀ ସାନ୍ୟା ମଲୋହତ୍ରା, ଓ୍ୱାଟରଫିଲ୍ଡ ଆଡଭାଇଜର ପ୍ରତିଷ୍ଠାତା ଏବଂ ସିଇଓ ସୌମ୍ୟ ରଞ୍ଜନ, ସୁଗାର କସ୍‌ମେଟିକ୍ସ କୋ ଫାଉଣ୍ଡର ଏବଂ ସିଇଓ ଭିନିତ୍ ସିଂହ ତାଲିକାରେ ସ୍ଥାନ ପାଇଛନ୍ତି ।

Leave a Reply