ସରକାରୀ ଜମିକୁ କବଜା କରିନେଉଛନ୍ତି ଆନ୍ଧ୍ର ବ୍ୟବସାୟୀ

ନନ୍ଦିଘୋଷ ବ୍ୟୁରୋ: ଓଡିଶା ପିଛା ଛାଡୁନି ଆନ୍ଧ୍ର । ସରକାରୀ ଜମିକୁ କବଜା କରିନେଉଛନ୍ତି ଆନ୍ଧ୍ର ବ୍ଯବସାୟୀ । ଜବରଦଖଲ କରି କରୁଛନ୍ତି ଚାଷ । ହେଲେ ଚୁପ ବସୁଛି ରାଜସ୍ଵ ବିଭାଗ । ଏଭଳି କିଛି ସଙ୍ଗୀନ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ବ୍ଳକରୁ ।
ଓଡିଶାରେ ଆନ୍ଧ୍ର ବ୍ଯବସାୟୀଙ୍କ ରାଜ । କବଜା କରିନେଇଛନ୍ତି ସରକାରୀ ଜମି । ଜବରଦଖଲ କରି କରୁଛନ୍ତି ପାମ ପ୍ଲାଣ୍ଟେସନ । ଏପରି କିଛି ଚାଲିଛି କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ବ୍ଳକର କୁସୁମଖାଲ ଗାଁରେ । ସବୁ ଜାଣି ମଧ୍ଯ ରାଜସ୍ଵ ବିଭାଗ ଖାଲି ଫାଇନ କାଟି ବସି ପଡୁଛି । ହେଲେ ଜବରଦଖଲକାରୀଙ୍କ ଉପରେ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଏପରି ଗୁରୁତର ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ ।
ଘଟଣାକୁ ଏମ ରାମପୁରର ତହସିଲଦାର ସ୍ଵୀକାର କରିଛନ୍ତି । ଜବରଦଖଲକାରୀଙ୍କୁ ଏକ ମାସ ମଧ୍ଯରେ ଜମି ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରତିକ୍ରିୟା ରଖିଛନ୍ତି । ରାଜସ୍ଵ ବିଭାଗର ସୂଚନା ଅନୁସାରେ କିଛି ଆନ୍ଧ୍ର ବ୍ଯବସାୟୀ ମାନେ ୧୩୫. ୭୭ ଏକର ଜମି କିଣିଥିବା ବେଳେ ୫୧.୧୭ ଏକର ସରକାରୀ ଜମିକୁ ଜବରଦଖଲ କରି ଚାଷ କରୁଛନ୍ତି । ତା ସହିତ ଭୂମିହୀନଙ୍କୁ ସରକାର ଯୋଗାଇ ଦେଇଥିବା ୩୩.୯୫ ଏକର ଜମିକୁ ସେମାନଙ୍କ ସହ ବୁଝାମଣା କରି ଚାଷ କରୁଛନ୍ତି ।
ଏଠି ପ୍ରଶ୍ନ ଉଠୁଛି, ଆନ୍ଧ୍ର ବ୍ଯବସାୟୀଙ୍କ ପ୍ରତି ରାଜସ୍ଵ ବିଭାଗର ଏ ଅହେତୁକ ଅନୁକମ୍ପା କଣ ପାଇଁ ? ବାହାର ବ୍ଯବସାୟୀଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ନେଉନି କଣ ପାଇଁ ? ଏହା ପଛରେ ଅନ୍ଯ କିଛି କାରଣ ଅଛି କି ?