ପୋପଙ୍କ ହାତରେ ଓଡିଶାର ପଟ୍ଟଚିତ୍ର

1 min read

ଭାଟିକାନ ସିଟି:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋପଙ୍କୁ ଓଡିଶା ଓ ଓଡ଼ିଶାବାସୀଙ୍କ ତରଫରୁ ଦେଲେ ପଟ୍ଟଚିତ୍ର ପେଣ୍ଟିଂ ଉପହାର  ।  ଏହାର ଥିମ ରହିଥିଲା ଟ୍ରି ଅଫ ଲାଇଫ। ପଟ୍ଟଚିତ୍ରର ବାର୍ତ୍ତା ରହିଛି- ଏକା ନୁହେଁ ଆମେ ଏକାଠି। ପବିତ୍ର ବୃକ୍ଷ ସହ ରହିଛି ଜୀବନ ବୃକ୍ଷର ସାମଞ୍ଜସ୍ୟ । ସମସ୍ତଙ୍କ ସହ ସମସ୍ତଙ୍କ ସମ୍ପର୍କ ରହିଛି ଏହାର ପ୍ରତୀକ । ଏହା ମଧ୍ୟ ସହାବସ୍ଥାନର ପ୍ରତୀକ ଏବଂ ଆମେ କେବେ ବି ଏକୁଟିଆ ନୁହଁ- ଏହି ଅବବୋଧର ପରିଚାୟକ । ସର୍ବୋପରି ସମଗ୍ର ବିଶ୍ବ ସହ ଆମର ବ୍ୟକ୍ତିସତ୍ତାର ରହିଛି ଘନିଷ୍ଠତା ।

ପଟ୍ଟଚିତ୍ରର ଗାଁ ରଘୁରାଜପୁରରର ଅପିନ୍ଦ୍ର ସ୍ବାଇଁଙ୍କ ପରିବାର ପିଢିପିଢି ଧରି ପଟ୍ଟଚିତ୍ର ପ୍ରସ୍ତୁତ କରିଆସୁଛନ୍ତି । ଏହି ପରିବାର ପାରମ୍ପରିକ ଚିତ୍ର ସହ ଆଧୁନିକ କଳାକୃତି ବି ପ୍ରସ୍ତୁତି କରିଆସୁଛନ୍ତି । ପଟ୍ଟଚିତ୍ର କଳା ମଧ୍ୟରେ କାଲିଗ୍ରାଫିକୁ ମଧ୍ୟ ଗୁରୁତ୍ବ ଦେଇଆସୁଛନ୍ତି ପରିବାର । ନୂଆ ନୂଆ ମାର୍ଗରେ ପଟ୍ଟଚିତ୍ରର ପରମ୍ପରା ବଜାୟ ରଖିବାକୁ ସ୍ୱପ୍ନ ରଖିଛନ୍ତି ଅପିନ୍ଦ୍ର । ସଂସ୍କୃତ ଶବ୍ଦ ପଟ୍ଟରୁ ଉଦଭବ ହୋଇଛି ପଟ୍ଟଚିତ୍ର । ପଟ୍ଟ ଅର୍ଥାତ କାନଭାସ ଓ ଚିତ୍ରର ଅର୍ଥ ଛବି । ବାସ୍ତବରେ ଏହାର ଉଦ୍ଭବ ଓଡ଼ିଶାରେ ହିଁ ହୋଇଛି ।

ଉତ୍କଳୀୟ କଳାର ଏହା ଏକ ଶ୍ରେଷ୍ଠ ପ୍ରତିଫଳନ ଏହି ପଟ୍ଟଚିତ୍ରରେ ପରିଦୃଷ୍ଟ ହୋଇଥାଏ । ବିଭିନ୍ନ ପୌରାଣିକ କଥାବସ୍ତୁକୁ ଆଧାର କରି ପଟ୍ଟଚିତ୍ର ପ୍ରସ୍ତୁତ କରାଯାଇଥାଏ। ଏହି ଅବସରରେ ପୋପ୍‌ ଫ୍ରାନସିସଙ୍କ ସୁସ୍ଥ ଦୀର୍ଘ ଜୀବନ କାମନା କରିଥିଲେ ନବୀନ । ସାକ୍ଷାତ ବେଳେ ୫ଟି ସଚିବ ଭିକେ ପାଣ୍ଡିଆନ୍ ଉପସ୍ଥିତ ଥିଲେ । ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଭାଟିକାନ ସିଟିରେ ପୋପ ଫ୍ରାନସିସଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାକ୍ଷାତ ଆନନ୍ଦଦାୟକ ଥିଲା ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରିଛନ୍ତି।