ମାଓ ଦମନ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଓଡ଼ିଶାକୁ ଭୂରୀ ଭୂରୀ ପ୍ରଶଂସା

ଭୁବନେଶ୍ବର: ଓଡ଼ିଶାର ମାଓଦମନ ନୀତି ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ଢେର ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପୂର୍ବାଞ୍ଚଳର ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଆସୁଛନ୍ତି । ୨୦୧୫ରୁ ୨୦୧୯ ମଧ୍ୟରେ ମାଓବାଦୀ ଘଟଣା ୩୦% ହ୍ରାସ ପାଇଛି, ଗୁଳିବିନିମୟ ତଥା ଆକ୍ରମଣ ଘଟଣାରେ ୩୨ ପ୍ରତିଶତ ଓ ସୁରକ୍ଷାକର୍ମୀଙ୍କ ମୃତ୍ୟୁରେ ୫୬ ପ୍ରତିଶତ ହ୍ରାସ ପାଇଛି । ନକ୍ସଲ ଆନ୍ଦୋଳନକୁ ହ୍ରାସ କରିଥିବାରୁ ଓଡ଼ିଶା ସରକାରଙ୍କୁ ଏହି ଅବସରରେ ଧନ୍ୟବାଦ ଦେଇଛନ୍ତି ଶାହ ।

ଅନ୍ୟପଟେ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ରୋଲ ମଡେଲ ପାଲଟିଛି ବୋଲି କହିଛନ୍ତି ଶାହ । ଉନ୍ନତ କୌଶଳ ଆପଣାଇ ବିପର୍ଯ୍ୟୟକୁ ଜିରୋ କାଜୁଆଲିଟି କାର୍ଯ୍ୟକାରୀ କରିବାରେ ସଫଳ ହୋଇଛି ଓଡ଼ିଶା । ପୂର୍ବରୁ ବାତ୍ୟା ଆସୁଥିଲା ହଜାର ହଜାର ଲୋକଙ୍କୁ ମୃତ୍ୟୁମୁଖରେ ପକାଉଥିଲା  । ଏବେ ସମୟ ବଦଳିଛି  । ନୂଆ ନୂଆ ପଦକ୍ଷେପ ଯୋଗୁଁ ବାତ୍ୟାର ମୁକାବିଲା କରି ଧନଜୀବନ ସୁରକ୍ଷିତ କରିବାରେ ସଫଳ ହୋଇଛି ନବୀନ ସରକାର । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାର କାମ ପ୍ରଶଂସନୀୟ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।