ଗହଳି ଏଡ଼ାଇବାକୁ ବଦଳିଲା କାଉଣ୍ଟରରେ ମଦ ବିକ୍ରିର ସମୟ

1 min read

ଭୁବନେଶ୍ୱର: ବିଦେଶୀ ପରେ ଦେଶୀ । ହୋମ୍ ଡେଲିଭରି ପରେ ଏବେ କାଉଣ୍ଟରରେ ମିଳିବ ଦେଶୀ ଓ ବିଦେଶୀ ମଦ । ରାଜ୍ୟର ବିଭିନ୍ନ ବାର୍ ଓ ମଦ ଦୋକାନ ଜୁଲାଇ ପହିଲାରୁ ଖୋଲିଛି । ତେବେ, ସେଠାରେ ମଦ୍ୟପାନ ପାଇଁ ମନା କରାଯାଇଛି । ଏବେ ସରକାର କାଉଣ୍ଟରରେ ଦେଶୀ ମଦ ବିକ୍ରିକୁ ଅନୁମତି ଦେଇଛନ୍ତି । ବିଦେଶୀ ଭଳି ଦେଶୀ ମଦର ହୋମ୍ ଡେଲିଭରି ସହ କାଉଣ୍ଟରରେ ବିକ୍ରିକୁ ଓଡ଼ିଶା ଅବକାରୀ ବିଭାଗ ଅନୁମତି ପ୍ରଦାନ କରିଛି । ତେବେ, କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ଥିବା ସପରେ ବିଦେଶୀ ଓ ଦେଶୀ ମଦ ଉପଲବ୍ଧ ହେବ ।

FILE

ଏଥିସହ ସରକାର ମଦ ବିକ୍ରି ପାଇଁ ନୂତନ ସମୟ ନିର୍ଘଣ୍ଟ କରିଛନ୍ତି । ପୂର୍ବରୁ ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ କାଉଣ୍ଟରରେ ମଦ ବିକ୍ରିକୁ ଅନୁମତି ଥିଲା । ଏବେ ସରକାର ସମୟ ସୀମାକୁ କମାଇ ଦେଇଛନ୍ତି । ସନ୍ଧ୍ୟାରେ ଗହଳି ରୋକିବାକୁ ଏଭଳି ପଦକ୍ଷେପ ନେଇଛି ଓଡ଼ିଶା ଅବକାରୀ ବିଭାଗ । ଏଣିକି ମଦ କାଉଣ୍ଟର ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଖୋଲା ରହିବ । ତେବେ, ମଦ ଦୋକାନ କିମ୍ବା ବାର୍ ପରିସରରେ କେହି ବି ମଦ ପିଇ ପାରିବେ ନାହିଁ ।

କାଉଣ୍ଟରର ସମସ୍ତ କର୍ମଚାରୀ ମୁହଁରେ ମାସ୍କ ପିନ୍ଧିବେ, ନିୟମିତ ବ୍ୟବଧାନରେ ସାନିଟାଇଜର ବ୍ୟବହାର କରିବେ । ଦୋକାନ ଆଗରେ ଗହଳି ରୋକିବାକୁ ବ୍ୟାରିକେଡ୍ କରାଯିବ । ସାମାଜିକ ଦୂରତା ରକ୍ଷା କରି ଲୋକଙ୍କୁ ଧାଡ଼ିରେ ଛିଡ଼ା ହେବା ପାଇଁ ବ୍ୟବସ୍ଥା କରିବେ । ଗ୍ରାହକ ମାସ୍କ ପିନ୍ଧିବା ସହ ନିର୍ଦ୍ଧାରିତ ଦୂରତା ରକ୍ଷା କରିବାକୁ ବାଧ୍ୟ । ତେବେ, ମାସ୍କ ପିନ୍ଧିନଥିବା ଓ ସାମାଜିକ ଦୂରତା ରକ୍ଷା କରୁନଥିବା ଗ୍ରାହକଙ୍କୁ ମଦ ବିକ୍ରି କରାଯିବ ନାହିଁ । ଏସବୁ ଉପରେ ସ୍ଥାନୀୟ ପୋଲିସ ସହ ଅବକାରୀ ବିଭାଗର କର୍ମଚାରୀ ନଜର ରଖିବେ । କୌଣସି ସପ୍ ନିୟମର କୋଭିଡ୍ କଟକଣାର ଉଲ୍ଲଂଘନ କଲେ ଜିଲ୍ଲାପାଳ ତାହାକୁ ବନ୍ଦ କରିପାରିବେ ।

Leave a Reply