ଦରବୃଦ୍ଧିରେ ଦେଶରେ ଓଡ଼ିଶା ଆଗରେ: ଡବଲ ଇଞ୍ଜିନ ସରକାର ଡବଲ ମିଛ କହି ଓଡ଼ିଶାକୁ ଲୁଟୁଛି, ବର୍ଷିଲା ବିଜେଡି

ଭୁବନେଶ୍ବର: ବିଧାନସଭାରେ ଦରଦାମ୍ ତାତି । ମୁଲତବୀ ପ୍ରସ୍ତାବରେ ଡବଲ ଇଞ୍ଜିନ ସରକାରକୁ ବିଜେଡିର ଟାର୍ଗେଟ । ଦରବୃଦ୍ଧିରେ ଦେଶରେ ଓଡ଼ିଶା ଆଗରେ । ଅରୁଣ କହିଲେ ଚାନ୍ଦା ପାଇଁ ସୃଷ୍ଟି ହୋଇଛି ଏଭଳି ସ୍ଥିତି । ସ୍ଵର ମିଳାଇଲା କଂଗ୍ରେସ, ଜବାବ ଦେଲା ବିଜେପି । ଖାଇବା ତେଲରୁ ଡାଲି ଯାଏ, ଅଟା ଠାରୁ ଡାଟା ଯାଏ, ପେଟ୍ରୋଲରୁ ଡିଜେଲ୍, ଜାଲ ରୁ ପାଲ ଯାଏ ଦରଦାମ୍ ଅହେତୁକ ଭାବେ ବୃଦ୍ଧି ପାଇଛି । ଡବଲ ଇଞ୍ଜିନ ସରକାର ଡବଲ ମିଛ କହି ଓଡ଼ିଶାକୁ ଲୁଟୁଥିବା କହି ବର୍ଷିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ । ଗ୍ୟାସ ଦର ୨୦୧୪ ରୁ ପରେ ୬୦୦ ଟଙ୍କା ବଢ଼ିଛି । ପେଟ୍ରୋଲ ଓ ଡିଜେଲ୍ ଦର ଶହେ ପାର । ସୁନା ଦର ବିଜେପି ସରକାର ଆସିବା ବେଳେ ୨୮ ହଜାର ଥିଲା, ଏବେ ୮୮ ହଜାରରେ ପହଂଚିଛି । ଟଙ୍କାର ମୂଲ୍ୟ କମିଛି ।
ନିର୍ବାଚନ ଚାନ୍ଦା ପାଇଁ ଦରଦାମ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାର ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ । ଦରଦାମ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ଅଧିକ ଭୂମିକା । ହେଲେ ରାଜ୍ୟର ଦାୟିତ୍ୱ ମଧ୍ୟ ଅଛି । ରାଜ୍ୟସରକାରଙ୍କ ନିୟନ୍ତ୍ରଣରେ ଭାଟ କମାଇବା ରହିଛି । ପ୍ରେଟୋଲ ଡିଜେଲରେ ଭାଟ କମାଇଲେ ଦରଦାମ ହୁଏତ ନିୟନ୍ତ୍ରଣକୁ ଆସିବ । ସାଧାରଣ ଲୋକ ହିଁ ଦରଦାମରେ ସଫର୍ ହେଉଛି । ଆଦାନୀ ଅମ୍ବାନୀ କି ବିଧାୟକ ଯାଉନାହାନ୍ତି ଅଟୋ ରିକ୍ସାରେ, ସାଧାରଣ ଲୋକ ଯାଉଛନ୍ତି । ଖୁଚୁରା ବ୍ୟବସାୟୀଙ୍କୁ ମାରି ନୁହେଁ, ବଡ଼ ବଡ଼ କର୍ପୋରେଟଙ୍କୁ ଧର । ମନ୍ତ୍ରୀ କେବଳ ୧ ନମ୍ୱର୍ ହାଟ ଯାଉଛନ୍ତି, ହେଲେ ମଲକୁ ଯାଉନାହାନ୍ତି । ଝିଣ୍ଟିକା ମାରି ବଣୀ ନପୋଷନ୍ତୁ ସରକାର । କେନ୍ଦ୍ରକୁ ଦରଦାମ ନିୟନ୍ତ୍ରଣ କରିବାକୁ ଛୋଟ ଇଞ୍ଜିନ ଦାବି କରୁ । ସବ୍ କା ସାଥ, ସବ୍ କା ବିକାଶ ନୁହେଁ, ସବ୍ କା ବିନାଶ କରୁଛନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ ବାଢିଛି ବିଜେଡି ।
ସେହିପରି ଦରଦାମ ବୃଦ୍ଧିକୁ ନେଇ ମୁଲତବୀ ପ୍ରସ୍ତାବରେ ବର୍ଷିଛନ୍ତି ବରିଷ୍ଠ ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଯୋଗଣ ମନ୍ତ୍ରୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଯେତେବେଳ ଦେଶରେ ଆଳୁ ଓ ପିଆଜ ଦର ବୃଦ୍ଧି ପାଇ ନଥିଲା, ସେତେବେଳେ ଓଡ଼ିଶାର ଆଳୁ ଓ ପିଆଜ ଦର ବୃଦ୍ଧି କଲେ ରାଜ୍ୟ ସରକାର । କୁଆଡେ ଗଲା ଆଳୁ ଟ୍ରକ୍ । ମନ୍ତ୍ରୀ ଏବେ କହିବେ କୁମ୍ଭମେଳାରେ ଆଳୁ ଟ୍ରକ୍ ଟ୍ରାଫିକ ଜାମରେ ଫସିଯାଇଛି । ପରିବା ଦର ୩୦ ପ୍ରତିଶତ ବୃଦ୍ଧି ପାଇଛି । ହେଲେ କିଛି କଳା ବ୍ୟବସାୟୀଙ୍କ ସହ ମଧୁଚନ୍ଦ୍ରିକା ଯୋଗୁ ଦରଦାମ୍ ବୃଦ୍ଧି ପାଉଛି । ଅନ୍ୟପଟେ ଯୋଗଣ ମନ୍ତ୍ରୀ କହିଛନ୍ତି ଦରଦାମ୍ ନିୟନ୍ତ୍ରଣ ଭିତରେ ରହିଛି । ଦରଦାମ୍ ନିୟନ୍ତ୍ରଣ ବାହାରକୁ ଯିବାକୁ ନେଇ ବିଜେଡି ରାଜରାସ୍ତାରୁ ବିଧାନସଭା ଯାଏ ଲଢ଼େଇ ଜାରି ରଖିଛି । ଦଳ ଲୋକଙ୍କ ସ୍ୱର ସାଜି ଲଢ଼ୁଛି ।