ଜାତୀୟ ହାର ତୁଳନାରେ ୩.୭୧% ଅଧିକ ଜଙ୍ଗଲ ସୃଷ୍ଟି କରିଛି ଓଡ଼ିଶା

1 min read

ଭୁବନେଶ୍ୱର: ଜଙ୍ଗଲ ସୃଷ୍ଟିରେ ଓଡ଼ିଶା ଦେଶରେ ନମ୍ବର ଓ୍ୱାନ୍ । ଜାତୀୟ ହାର ତୁଳନାରେ ୩.୭୧ ପ୍ରତିଶତ ଅଧିକ ଜଙ୍ଗଲ ସୃଷ୍ଟି କରିଛି ରାଜ୍ୟ । 5-T ଲାଗୁ ପରେ ଜଙ୍ଗଲ ବିଭାଗରେ ଆସିଛି ବଡ଼ ସଂସ୍କାର । ଜଙ୍ଗଲ ଏହି ସଫଳତାରେ ମିଶନଶକ୍ତିର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ଜଙ୍ଗଲ ନିଆଁ ଆୟତ୍ତ କରିବା ସହ ହାତୀ ମୃତ୍ୟୁ ରୋକିବାକୁ ଜଙ୍ଗଲ ବିଭାଗ ପ୍ରସ୍ତୁତ କରିଛି ଦୀର୍ଘ ମିଆଦି ଯୋଜନା । ସେପଟେ ବାଘ ସଂଖ୍ୟା ବୃଦ୍ଧି କରିବା ପାଇଁ ଶିମିଳିପାଳ ଅଭୟାରଣ୍ୟକୁ ଦିଆଯାଇଛି ଫୋକସ । ବିଶ୍ୱ ବନ ଦିବସ ଅବସରରେ ବିଭାଗର ସଫଳତା ବଖାଣିଛନ୍ତି ବିଭାଗୀୟ ସଚିବ ।

ଜଙ୍ଗଲ ବିଭାଗରେ 5-T ଆଣିଲା ବଡ଼ ସଂସ୍କାର । ଜଙ୍ଗଲ ସୃଷ୍ଟିରେ ଓଡ଼ିଶା ଦେଶରେ ପୁଣି ନମ୍ବର ଓ୍ୱାନ । ଭୌଗଳିକ ଅଂଶର ୩୬ ଦଶମିକ ୭୧ ପ୍ରତିଶତ ଜଙ୍ଗଲ ସୃଷ୍ଟି କରି ତିଆରି କରିଛି ରେକର୍ଡ । ରାଜ୍ୟରେ ଜାତୀୟ ହାରଠାରୁ ୩ ଦଶମିକ ୭୧ ପ୍ରତିଶତ ଅଧିକ ଜଙ୍ଗଲ ହୋଇଛି ତିଆରି । ଆଚ୍ଛାଦିତ ଜଙ୍ଗଲ ସୃଷ୍ଟିରେ ମିଶନ ଶକ୍ତି ଓ ସ୍ଥାନୀୟ ବାସିନ୍ଦାଙ୍କର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା । ସେପଟେ ଜଙ୍ଗଲ ନିଆଁ ଓ ହାତୀ ମୃତ୍ୟୁ ରୋକିବାକୁ ପ୍ରସ୍ତୁତ ହୋଇଛି ବଡ ଯୋଜନା । ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥାର ଦ୍ଵିବାର୍ଷିକ ଆକଳନ ଅନୁଯାୟୀ ଓଡ଼ିଶାରେ ୨୦୧୯ ରୁ ୨୦୨୧ ମଧ୍ୟରେ ୮୯୩ ବର୍ଗ କିଲୋମିଟର ଜଙ୍ଗଲ ଅଂଚଳର ହୋଇଛି ଅଭିବୃଦ୍ଧି । ହେନ୍ତାଳ ବନ ବୃଦ୍ଧି କରିବାରେ ବି ଓଡ଼ିଶା ହୋଇଛି ପ୍ରଥମ ।

ଜଙ୍ଗଲ ନିଆଁ ବିଭାଗ ପାଇଁ ଥିଲା ମୁଖ୍ୟ ଚାଲେଞ୍ଜ । ମହୁଳ ଫୁଲ ସଂଗ୍ରହ, ଶୁଖିଲା ପତ୍ର ଆଦି କାରଣରୁ ନିଆଁ ଲାଗୁଥିବା ବେଳେ ମିଶନ ଶକ୍ତି ମହିଳା ଓ ସ୍ଥାନୀୟ ଲୋକଙ୍କୁ ଦିଆଯାଇଛି ସୁରକ୍ଷା ଦାୟିତ୍ବ । ସେହିପରି ମଣିଷ- ହାତୀ ଲଢେଇ ନେଇ ସଚେତନ କରାଯିବା ସହ ଦିଆଯାଉଛି କ୍ଷତିପୂରଣ । ହାତୀମୃତ୍ୟୁ ରୋକିବା ପାଇଁ ରେଳ ଓଭର ବ୍ରିଜ ନିର୍ମାଣ, ଉଚ୍ଚ ବିଦ୍ୟୁତ ତାର, ଅଣ୍ଡର ଗ୍ରାଉଣ୍ଡ ରାସ୍ତା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଶିମିଳିପାଳ ଅଭୟାରଣ୍ୟରେ ବାଘ ସଂଖ୍ୟା ବୃଦ୍ଧି ଲାଗି ସିସିଟିଭି ଲଗାଇବା ସହ ସ୍ୱତନ୍ତ୍ର ଯୋଜନା କରିଛି ବିଭାଗ । ବିଶ୍ୱ ବନ ଦିବସରେ ସଫଳ କର୍ମଚାରୀଙ୍କୁ ବି କରାଯାଇଛି ପୁରସ୍କୃତ ।

ଜଙ୍ଗଲର ପୁନରୁଦ୍ଧାର ଲାଗି ଆମ ଜଙ୍ଗଲ ଯୋଜନାରେ ନିୟୋଜିତ ଅଛନ୍ତି ୪ ହଜାର ୬୦୫ ବନସୁରକ୍ଷା ସମିତି । ପ୍ରାୟ ୧୪ ହଜାର ୨୬୦ ମହିଳା ଏସଏଚଜି ଏହି ଯୋଜନାରେ ସାମିଲ ହୋଇଥିବାବେଳେ ବିଭିନ୍ନ ଉପାର୍ଜନକ୍ଷମ କାର୍ଯ୍ୟକ୍ରମରେ ଉପକୃତ ହୋଇଛନ୍ତି ୪ ଲକ୍ଷ ୨୦ ହଜାର ପରିବାର । ଜଙ୍ଗଲ ସୃଷ୍ଟି ପ୍ରକ୍ରିୟାକୁ ଉତ୍ସାହିତ କରିବା ପାଇଁ ଚଳିତ ବର୍ଷଠାରୁ ପୁରସ୍କାର ରାଶିକୁ କରାଯାଇଛି ଦୁଇଗୁଣ ।

ଏଥିସହିତ ପଢ଼ନ୍ତୁ: ଓଡ଼ିଶା ବିଧାନସଭାର ମୂଲ୍ୟବାନ ବିବରଣୀ ଓ ତଥ୍ୟର ଡିଜିଟାଇଜେସନ୍ ଆରମ୍ଭ