ଦିଲ୍ଲୀରେ ନିଖୋଜ ଓଡିଆ ପୁଅ, କିଛି ଦିନ ପୂର୍ବେ ଆବୁଧାବିରୁ ଫେରିଥିଲେ

1 min read

ଖୋର୍ଦ୍ଧା: ଆବୁଧାବିରୁ ଆସି ଦିଲ୍ଲୀରେ ନିଖୋଜ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ରଞ୍ଜନ ସ୍ୱାଇଁ ଆବୁଧାବିରୁ ଫେରି ଦିଲ୍ଲୀରେ ନିଖୋଜ ହୋଇଯାଇଛନ୍ତି । ବାଲୁଗାଁ ଥାନା ବେଲପଡ଼ା ଗାଁର ଅକ୍ଷୟ ସ୍ବାଇଁଙ୍କ ଏକମାତ୍ର ପୁଅ ରଞ୍ଜନ ସ୍ବାଇଁ ପରିବାର ପୋଷଣ ପାଇଁ ଆବୁଧାବିକୁ କାମ କରିବାକୁ ଯାଇଥିଲେ ।

ଗତ ମାସ ୧୯ ତାରିଖରେ ରଞ୍ଜନ ତାଙ୍କର ଜଣେ ସାଙ୍ଗ ଫାଇମ ଅହମ୍ମଦ ସହ ଆବୁଧାବିରୁ ଆସି ମୁମ୍ବାଇ ବିମାନବନ୍ଦରରେ ଓହ୍ଲାଇ ଥିଲେ । ତେବେ ରଞ୍ଜନ ଘରକୁ ନଫେରିବାରୁ ତାଙ୍କ ସାଙ୍ଗ ଫାଇମ ସହିତ ଯୋଗାଯୋଗ କରିଥିଲେ ରଞ୍ଜନଙ୍କ ବାପା ଅକ୍ଷୟ ସ୍ୱାଇଁ । ଫାଇମ ଅହମ୍ମଦ କହିଥିଲେ, ମୁମ୍ବାଇରୁ ସାଥୀ ହୋଇ ଦିଲ୍ଲୀ ଆସିଥିଲୁ ।

ରଞ୍ଜନ ଟ୍ରେନରେ ଓଡ଼ିଶା ଯାଇଛନ୍ତି । ଅହମ୍ମଦର କଥାବାର୍ତ୍ତାରେ ସନ୍ଦେହ କରି ଅକ୍ଷୟ ସ୍ବାଇଁ ଆଜି ବାଲୁଗାଁ ଥାନାରେ ରଞ୍ଜନ ନିଖୋଜ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି । ଥାନା ପକ୍ଷରୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି । ବାଲୁଗାଁ ସହ- ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଅଭିଯୋଗ କରାଯାଇଛି ।