ୟୁକ୍ରେନରେ ଫସିଛନ୍ତି ଓଡ଼ିଆ ଛାତ୍ର, ଉଦ୍ଧାର ପାଇଁ ପରିବାର କଲେ ନିବେଦନ
କଟକ: ୟୁକ୍ରେନ ବିରୋଧରେ ଆଜି ଯୁଦ୍ଧ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ପୁଟିନ୍ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଛି ଋଷ । ୟୁକ୍ରେନର ରାଜଧାନୀ କିଭ୍ ସହ ୧୦ଟି ସହରରେ ଜୋରଦାର ଆକ୍ରମଣ କରିଛି । ତେବେ ୟୁକ୍ରେନରେ ଯୁଦ୍ଧ ଫଳରେ ସେଠାରେ ହଜାର ହଜାର ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକ ଫସି ରହିଛନ୍ତି । ଓଡ଼ିଶାରୁ ମଧ୍ୟ କିଛି ଛାତ୍ର ଏବେ ୟୁକ୍ରେନରେ ଫସି ରହିଛନ୍ତି । ୟୁକ୍ରେନରେ ଯୁଦ୍ଧ ଆରମ୍ଭ ଫଳରେ ସେଠାରେ ଫସିଯାଇଛନ୍ତି ଓଡ଼ିଆ ଛାତ୍ର ଆଶାଦୀପ ମହାପାତ୍ର । ଆଶାଦୀପ ୟୁକ୍ରେନରେ ତୃତୀୟ ବର୍ଷ ଡାକ୍ତରୀ ପାଠ ପଢୁଛନ୍ତି । ଯୁଦ୍ଧ ଆରମ୍ଭ ହୋଇଯିବାରୁ ଫେରିପାରୁନାହାଁନ୍ତି ଆଶାଦୀପ । ସେଥିପାଇଁ ଚିନ୍ତାରେ ପୂରା ପରିବାର ବୋଲି କହିଛନ୍ତି ତାଙ୍କ ବଡ଼ବାପା ଅନିଲ ମହପାତ୍ର ।
କଟକ ପୁଅ ଆର୍ଯ୍ୟମାନ ଅଭିଷେକ ବି ୟୁକ୍ରେନରେ ଫସିଯାଇଛନ୍ତି । ଆର୍ଯ୍ୟମାନ ଅଭିଷେକଙ୍କ ସୁରକ୍ଷା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ତାଙ୍କ ମାଆ ଅରୁଣା ଜ୍ୟୋତି ବିଶ୍ୱାଳ । ୬ ବର୍ଷ ଧରି ୟୁକ୍ରେନରେ ଡାକ୍ତରୀ ପାଠ ପଢୁଛନ୍ତି ଆର୍ଯ୍ୟମାନ । ତେବେ ବର୍ତ୍ତମାନ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଆର୍ଯ୍ୟମାନଙ୍କୁ ସୁରକ୍ଷିତ ଘରକୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି ଅରୁଣା ଜ୍ୟୋତି ବିଶ୍ୱାଳ । ଗତକାଲି ଫୋନରେ କଥା ହୋଇଥିଲେ ଆର୍ଯ୍ୟମାନ । ସ୍ଥିତି ଅଧିକ ଗମ୍ଭୀର ହେଉଥିବା ନେଇ ମଧ୍ୟ କହିଥିଲେ ସେ ।
ସେହିପରି ଢ଼େଙ୍କାନାଳ ଗୋବିନ୍ଦପୁର ଗାଁର ସନ୍ତୋଷ ସ୍ୱାଇଁଙ୍କ ପୁଅ ସୁପ୍ରୀତ ସ୍ୱାଇଁ ୟୁକ୍ରେନର ବିନିସ୍ତାରେ ଫସିରହିଛନ୍ତି । ତିନିମାସ ତଳେ ସେ ଏମବିବିଏସ ପଢ଼ିବା ପାଇଁ ଯାଇଥିଲେ । ୨୦ ବର୍ଷୀୟ ସୁପ୍ରୀତ ସ୍ୱାଇଁ ବିନିସ୍ତା କଲେଜରେ ଏବେ ରହୁଥିବା ବେଳେ ତାଙ୍କ ମା’ ସନ୍ଧ୍ୟାରାଣୀ ସ୍ୱାଇଁଙ୍କ ସହ ଆଜି ମଧ୍ୟ କଥା ହୋଇଛନ୍ତି । କଲେଜ ପକ୍ଷରୁ ତାଙ୍କୁ ପ୍ରସ୍ତୁତ ହୋଇ ରହିବା ପାଇଁ କୁହାଯାଇଛି । ଯେ କୌଣସି ମୁହୂର୍ତ୍ତରେ ତାଙ୍କୁ ଫ୍ଲାଇଟରେ ପଠାଯାଇପାରେ ବୋଲି ତାଙ୍କ କଲେଜ ତରଫରୁ କହୁଯାଇଛି ବୋଲି ସୁପ୍ରୀତଙ୍କ ମା’ କହିଛନ୍ତି ।