ୟୁକ୍ରେନରୁ ଫେରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ବର: ୱେଲକମ ବ୍ୟାକ ଟୁ ଇଣ୍ଡିଆ ।  ଏପରି କହି ୟୁକ୍ରେନରୁ ଫେରିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମାନିଆ ସୀମାରୁ ଉଦ୍ଧାର କରି ଭାରତୀୟ ଦୂତାବାସ ଦିଲ୍ଲୀରେ ପହଞ୍ଚାଇବା ପରେ ସେମାନଙ୍କ ସହ ସିଧା ଆଲୋଚନା କରିଛନ୍ତି ନବୀନ । ପିଲାଙ୍କ ତିକ୍ତ ଅନୁଭୂତି ଶୁଣିବା ସହ ଫସିଥିବା ଅନ୍ୟ ଓଡ଼ିଆଙ୍କୁ ଉଦ୍ଧାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସମସ୍ତ ସହାୟତା ଯୋଗାଇ ଦେଇ ସେମାନଙ୍କୁ ମରଣ ମୁହଁରୁ ଉଦ୍ଧାର କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଓଡିଆ ଛାତ୍ରଛାତ୍ରୀ । କହିଛନ୍ତି, ଥ୍ୟାଙ୍କ ୟୁ ସିଏମ୍ ।

ୟୁକ୍ରେନରେ ଆତଙ୍କିତ ଓଡ଼ିଆଙ୍କ ମୁହଁରେ ହସ ଫୁଟାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିପଦ ସମୟରେ ସହାୟତାର ହାତ ବଢାଇବାରୁ ୱୋରଜୋନରୁ ଫେରି ଆସିଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ । ନବୀନ ଦେଇଛନ୍ତି ଅଭୟ ଆଶ୍ବସ୍ତି । ଦିଲ୍ଲୀରେ ପହଞ୍ଚିବା ପରେ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ସହ ସିଧା ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ସହ କଥା ହୋଇ ଭଲମନ୍ଦ ପଚାରି ବୁଝିଛନ୍ତି । ସେଠାରେ ସ୍ଥିତି କେମିତି ଅଛି, ଓଡ଼ିଆ ପିଲାମାନେ କେମିତି ଅଛନ୍ତି, ଫେରିଥିବା ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ।

ଆସନ୍ନ ମୃତ୍ୟୁରୁ ରକ୍ଷା ପାଇବା ପାଇଁ ଓଡ଼ିଆ ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କୁ ଫେରାଇ ଆଣିବାକୁ ପଦକ୍ଷେପ ନେବାକୁ ଆକୁଳ ନିବେଦନ କରିଥିଲେ । ଅନେକ ଯନ୍ତ୍ରଣା ସହି ପୋଲାଣ୍ଡ ରୋମାନିଆ ବର୍ଡରରେ ପହଞ୍ଚିଲା ପରେ ସମସ୍ତଙ୍କୁ ଉଦ୍ଧାର କରିଥିଲା ଭାରତୀୟ ଦୂତାବାସ । ଏବେ ବି ସେଠାରେ ବହୁ ଓଡ଼ିଆ ରହିଯାଇଛନ୍ତି । ସମସ୍ତ ଛାତ୍ରଙ୍କୁ ଉଦ୍ଧାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଛାତ୍ରଛାତ୍ରୀ ସେମାନଙ୍କ ତିକ୍ତ ଅଭିଜ୍ଞତା ବଖାଣିଥିଲେ । ସମସ୍ତେ ରୋମାନିଆ ସୀମା ଅତିକ୍ରମ କରି ଭାରତୀୟ ଅଧିକାରୀଙ୍କ ସହିତ ବୁକାରେଷ୍ଟ ଯାଇଥିଲେ ଏବଂ ସେଠାରୁ ବିମାନ ଯୋଗେ ନୂଆଦିଲ୍ଲୀ ଆସିଥିଲେ । ନୂଆଦିଲ୍ଲୀରେ ଅବସ୍ଥାପିତ ରେସିଡେଣ୍ଟ କମିଶନର ସେମାନଙ୍କ ସହିତ ଯୋଗାଯୋଗରେ ଥିଲେ ବୋଲି ୟୁକ୍ରେନ ଫେରନ୍ତା ଓଡ଼ିଆ ଛାତ୍ର କହିଛନ୍ତି ।

ୟୁକ୍ରେନରୁ ଫେରୁଥିବା ପିଲାଙ୍କ ସୁବିଧା ପାଇଁ ମୁମ୍ବାଇ ବିମାନ ବନ୍ଦରରେ ହେଲପ ଡେସ୍କ ଖୋଲିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଭୁବନେଶ୍ୱରରେ ପହଞ୍ଚିବା ପରେ ପିଲାମାନଙ୍କୁ ଓଟିଡିସି ବସ୍ ଯୋଗେ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply