ମଣିପୁରରୁ ଫେରି ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଲେ ଓଡିଆ ଛାତ୍ରଛାତ୍ରୀ

ଭୁବନେଶ୍ବର: ଅଶାନ୍ତ ଜର୍ଜରିତ ମଣିପୁର ଇମ୍ଫାଲରୁ ଫେରିଲେ ୧୦ ଓଡ଼ିଆ ଛାତ୍ରଛାତ୍ରୀ । ଇମ୍ଫାଲର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୧୦ ଛାତ୍ରଛାତ୍ରୀ ଆଜି ଓଡିଶାରେ ପହଞ୍ଚିଛନ୍ତି । ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଓଡିଶା ମୋ ପରିବାର ପକ୍ଷରୁ ସ୍ବାଗତ କରାଯାଇଛି ।

ରାଜ୍ୟ ସରକାରଙ୍କ ସହଯୋଗ ଓ ଉଦ୍ୟମରେ ମଣିପୁରରୁ ଉଦ୍ଧାର କରାଯାଇ ଓଡିଶା ଅଣାଯାଇଛି। ମଣିପୁରରୁ ଫେରିଥିବା ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ।

ଅଣଆଦିବାସୀ ସମ୍ପ୍ରଦାୟ କୁହାଯାଉଥିବା ମେଇତି ସମ୍ପ୍ରଦାୟ ପକ୍ଷରୁ ଆଦିବାସୀ ମାନ୍ୟତା ଦାବି କରାଯିବା ପରେ ତାତିଛି ମଣିପୁରର ନିଖିଳ ଆଦିବାସୀ ଛାତ୍ର ସଂଘ ବା ଏଟିଏସୟୁଏମ । ମଣିପୁରର ମୋଟ ଜନସଂଖ୍ୟାର ୫୩ ପ୍ରତିଶତ ହେଉଛନ୍ତି ମେଇତି ସମ୍ପ୍ରଦାୟ । ମାତ୍ର ସେମାନେ ରାଜ୍ୟର ମୋଟ ୧୦ ପ୍ରତିଶତ ଅଞ୍ଚଳରେ ସୀମାବଦ୍ଧ ରହିଛନ୍ତି। ବେଆଇନ ମିଆଁମାର ଓ ବାଂଲାଦେଶୀ ନାଗରିକଙ୍କ ଅନୁପ୍ରବେଶକୁ ବି ବିରୋଧ କରୁଛନ୍ତି ମେଇତି ସମ୍ପ୍ରଦାୟ । ବର୍ତ୍ତମାନର ନିୟମ ଅନୁସାରେ ରାଜ୍ୟର ପାର୍ବତ୍ୟାଞ୍ଚଳରେ ବସବାସ ଲାଗି ମେଇତିମାନଙ୍କୁ ଅନୁମତି ଦିଆଯାଇନାହିଁ ।

ତେବେ ରାଜ୍ୟର ୯୦ ପ୍ରତିଶତ ଅଞ୍ଚଳରେ ଆଦିବାସୀମାନ ବସବାସ କରୁଥିବାବେଳେ ମେଇତିମାନେ ୬୦ ଆସନ ବିଶିଷ୍ଟ ବିଧାନସଭାରେ ଦୁଇ ତୃତୀୟାଂଶ ଆସନ ହାସଲ କରିଛନ୍ତି ।