ମୁକ୍ତିଲାଭ କଲା ମ୍ୟୁଜିକାଲ ସର୍ଟ ମୁଭି ‘ଜାନିୟା’

ଭୁବନେଶ୍ୱର:  ନୂଆବର୍ଷରେ ନିହାର ନମନ ଫିଲ୍ମସ୍ ଭେଟି ଦେଇଛି ଓଲିଉଡର ସବୁଠୁ ବ୍ୟୟବହୁଳ ମ୍ୟୁଜିକାଲ ସର୍ଟ ମୁଭି ‘ଜାନିୟା’ । ହୋଟେଲ ସାଣ୍ଡି’ଜ୍ ଟାୱାରଠାରେ ଏହି କାର‌୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ‘ଜାନିୟା’ର କଳାକାର, ଟେକ୍ନିସିଆନଙ୍କ ସମେତ ଓଡିଆ ଚଳଚ୍ଚିତ୍ର ଜଗତ ସହ ସମ୍ପୃକ୍ତ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।, ଏହି ମ୍ୟୁଜିକାଲ ସର୍ଟ ମୁଭିରେ ଚଳଚ୍ଚିତ୍ରର ସମସ୍ତ ପ୍ରକାର ବୈଶିଷ୍ଟ୍ୟ ଦେଖିବାକୁ ମିଳିବ । ବର୍ତ୍ତମାନ ସମୟରେ ଯେଉଁ ବଜେଟରେ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି ତା’ଠୁ ଯଥେଷ୍ଟ ଅଧିକ ବଜେଟରେ ଏହି ମ୍ୟୁଜିକାଲ ସର୍ଟ ମୁଭି ନିର୍ମିତ ହୋଇଛି । ଚଳଚ୍ଚିତ୍ର ପରି ଏହାକୁ ସର୍ବାଙ୍ଗ ସୁନ୍ଦର ତଥା ଆକର୍ଷଣୀୟ କରିବା ପାଇଁ ପ୍ରଯୋଜକ ଲିପୁ ବାବୁ ଓ ସିପୁ ବାବୁ କୌଣସିଥିରେ ଉଣା କରିନାହାନ୍ତି । ଏହା ଏକ କ୍ଷୁଦ୍ର ଚଳଚ୍ଚିତ୍ର ହୋଇଥିଲେ ମଧ୍ୟ କାହାଣୀ, ସଙ୍ଗୀତ, ଅଭିନୟ, ଆଦି ପ୍ରତ୍ୟେକଟି ଦିଗ ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଇଛି ।

‘ଜାନିୟା’ର ଲିଡ୍ ରୋଲ୍‌ରେ ଅଛନ୍ତି ଶୁଭାଶିଷ ଶର୍ମା (ମଂଟୁ) ଓ ପୁନମ୍ ମିଶ୍ର । ଏହି ରୋମାଂଟିକ ଯୋଡି ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଥିବା ବେଳେ ‘ଜାନିୟା’ରେ ସେମାନେ ସମ୍ପୂର୍ଣ୍ଣ ଭିନ୍ନ ଭୂମିକାରେ ନଜର ଆସିଛନ୍ତି । ବିଶିଷ୍ଟ କାହାଣୀକାର ଓ ସଂଳାପ ଲେଖକ ରଣଜିତ ପଟ୍ଟନାୟକଙ୍କୁ ମଧ୍ୟ ଏଥିରେ ଏକ ଅତିଥି ଭୂମିକାରେ ନଜର ଆସିଛନ୍ତି । ତା’ ସହିତ ଖଳନାୟକ ଭୂମିକାରେ ଅଛନ୍ତି ଧାରାବାହିକର ଜଣାଶୁଣା ନିର୍ଦ୍ଦେଶକ ମିହିର ସ୍ୱାଇଁ । ନିର୍ଦ୍ଦେଶନା ଭାର ତୁଲାଇଛନ୍ତି କ୍ରିଷ୍ଣା କର (କେ.କେ) ଓ ଟିମ୍ । ଓଲିଉଡର ଲୋକପ୍ରିୟ ଅଭିନେତା କ୍ରିଷ୍ଣା କର ଓରଫ୍ କେ.କେ ଏହି ମ୍ୟୁଜିକାଲ୍ ସର୍ଟ ଫିଲ୍ମ ଜରିଆରେ ପ୍ରଥମ କରିି ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଇଛନ୍ତି ।

୧୫ ମିନିଟ୍ ଅବଧି ବିଶିଷ୍ଟ ଏହି ମ୍ୟୁଜିକାଲ ସର୍ଟ ମୁଭିରେ ଲଭ୍‌, ରୋମାନ୍ସ, ଡ୍ରାମା, ଆକ୍ସନ, ସସ୍ପେନ୍ସ, ଇମୋସନ ସବୁ ଦେଖିବାକୁ ମିଳିଛି । ସବୁ ବର୍ଗର ଦର୍ଶକଙ୍କୁ ସୁହାଇଲା ଭଳି କାହାଣୀ ବାଛିଛନ୍ତି ପ୍ରଯୋଜକ ରାଉତ ବ୍ରଦର୍ସ ଓରଫ୍ ଲିପୁ ବାବୁ ଓ ସିପୁ ବାବୁ । ‘ଜାନିୟା’କୁ ଗ୍ଲସି ଲୁକ୍ ଦେବା ପାଇଁ ପ୍ରଯୋଜନା ସଂସ୍ଥା ପକ୍ଷରୁ ସବୁପ୍ରକାର ପ୍ରଚେଷ୍ଟା କରାଯାଇଛି । କାହାଣୀରେ ନୂତନତ୍ୱ, ବାସ୍ତବ ଅଭିନୟ ଓ ଉଚ୍ଚକୋଟୀର ନିର୍ମାଣ ଦୃଷ୍ଟିରୁ ଏହା ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ନିର୍ଦ୍ଦେଶକ ବେଶ୍ ଆଶାବାଦୀ ଅଛନ୍ତି । କେବଳ ସେତିକି ନୁହେଁ, ଓଲିଉଡରେ ଚଳଚ୍ଚିତ୍ରର ମାନ ଦିନକୁ ଦିନ କମି କମି ଯାଉଥିବାବେଳେ ମ୍ୟୁଜିକାଲ ସର୍ଟ ମୁଭି ହୋଇଥିଲେ ମଧ୍ୟ ଟ୍ରେଣ୍ଡ୍‌ସେଟର ସାଜି ଏହା ଏକ ଉଦାହରଣ ସୃଷ୍ଟିକରିବ ବୋଲି କୁହାଯାଉଛି ।

Leave a Reply