ଭାରତ ଦେଖିଲା ବିଶ୍ବ ସାହିତ୍ୟ ମହାକୁମ୍ଭ

ନନ୍ଦିଘୋଷ ବ୍ୟୁରୋ: ଖ୍ଯାତି ସାଉଁଟିଲା କେନ୍ଦ୍ର ସାହିତ୍ଯ ଏକାଡେମୀ। ବିଶ୍ବ ସାହିତ୍ଯ ମହାକୁମ୍ଭ ପରି ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରି ଏକାଦିକ୍ରମେ ୱାର୍ଲଡ ବୁକ୍ ଅଫ ରେକର୍ଡସ, ଲଣ୍ଡନ ଓ ଦୁବାଇର ଆଇନଷ୍ଟାଇନ ୱାର୍ଲଡ ରେକର୍ଡସ ସମ୍ମାନ ହାସଲ କରିଛି ଏକାଡେମୀ। ଭାରତର ସାଂସ୍କୃତିକ ଓ ସାହିତ୍ଯିକ ଐତିହ୍ୟ, ସୃଜନଶୀଳତାର ବିକାଶ ଦିଗରେ ନିରନ୍ତର କାର୍ଯ୍ୟ କରିଆସୁଛି ସଂସ୍ଥା।

ଭାରତ ଦେଖିଲା ବିଶ୍ବ ସାହିତ୍ୟ ମହାକୁମ୍ଭ। ଆଉ ଇତିହାସ ରଚିଲା କେନ୍ଦ୍ର ସାହିତ୍ଯ ଏକାଡେମୀ। ପ୍ରଥମ ଥର ଲାଗି ସାଉଁଟିଛି ଦୁଇ ଦୁଇଟି ବିଶ୍ବସ୍ତରୀୟ ସମ୍ମାନ। ଗତ ମାର୍ଚ୍ଚ ୧୧ରୁ ୧୬ ପର୍ଯ୍ୟନ୍ତ ନୂଆଦିଲ୍ଲୀ ରବୀନ୍ଦ୍ର ଭବନଠାରେ ଅନୁଷ୍ଠିତ ହୋଇଥିବା ଫେଷ୍ଟିଭାଲ ଅଫ୍ ଲେଟର୍ସରେ କୀର୍ତ୍ତମାନ ସ୍ଥାପନ କରିଛି ଏକାଡେମୀ। ୧୩ ତାରିଖରେ ୪୦ଟି ଭାଷାର ୯୦ ଜଣ ଲେଖକ ବିନା ବିରତିରେ ଧାରାବାହିକ ଭାବେ ପାଠ କରିଥିଲେ ନିଜ ନିଜର ସାହିତ୍ଯାକୃତି। ସାରା ଦୁନିଆରେ ପ୍ରଥମ ଥର ଲାଗି ଆୟୋଜିତ ଏକ କାର୍ଯ୍ୟକ୍ରମ ହାସଲ କରିଥିଲା ୱାର୍ଲଡ ବୁକ୍ ଅଫ ରେକର୍ଡସ, ଲଣ୍ଡନ ପକ୍ଷରୁ ସାର୍ଟିଫିକେଟ।

ସେହିପରି ଦୁନିଆର ସବୁଠାରୁ ବଡ ସାହିତ୍ଯ ଉତ୍ସବ ଆୟୋଜିତ କରିଥିବାରୁ ସାହିତ୍ଯ ଏକାଡେମୀକୁ ମିଳିଥିଲା ଦୁବାଇର ଆଇନଷ୍ଟାଇନ ୱାର୍ଲଡ ରେକର୍ଡସ ସମ୍ମାନ। କେବଳ ଏତିକି ନୁହେଁ ଏଲଜିବିଟିକ୍ଯୁଙ୍କୁ ନେଇ ସାହିତ୍ୟ ସମ୍ମିଳନୀ, ଭାରତର ସାଂସ୍କୃତିକ ଓ ସାହିତ୍ଯିକ ଐତିହ୍ୟ, ସୃଜନଶୀଳତାର ବିକାଶ ଆଦି ସମ୍ପର୍କରେ ମାନସ ମନ୍ଥନ ଭାରତୀୟ ସାହିତ୍ଯକୁ ଦେଇଥିଲା ନବଦିଗନ୍ତ। କେନ୍ଦ୍ର ସାହିତ୍ୟ ଏକାଡେମୀର ୭୦ ବର୍ଷର ଇତିହାସରେ ସମସ୍ତ ଭାରତୀୟ ଭାଷା ଲାଗି ଏକାଡେମୀ ନିରନ୍ତର ସେବା କରିଆସୁଛି। ଓଡ଼ିଶାର ବିଭିନ୍ନ ଭାଷାର ବିକାଶ ଲାଗି ବି କରାଯାଉଛି ଉଦ୍ଯମ। ପ୍ରାଚୀନ ସଉରା ଭାଷାର ଏକ ସମ୍ମିଳନୀ ୨୦୨୩ରେ ଭୁବନେଶ୍ବରରେ ହୋଇଥିଲା ବୋଲି କହିଛନ୍ତି ସମ୍ପାଦକ।

୧୭୫ଟି ଭାଷା, ୧୯୦ ଅଧିବେଶନ, ୧୧୦୦ ସାହିତ୍ୟିକଙ୍କ ଗହଣରେ  ଛଅ ଦିନ ଧରି ଚାଲିଥିବା ସାହିତ୍ୟୋତ୍ସବରେ ୧୯୦ରୁ ଅଧିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଭାରତର ଭକ୍ତି ସାହିତ୍ୟ,  ଶିଶୁ ସାହିତ୍ୟ, ଅନୁବାଦ ସାହିତ୍ୟ, ସାହିତ୍ୟ ଓ ମହିଳା ସଶକ୍ତିକରଣ ଆଦି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ସାହିତ୍ଯିକ। ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଓ ଗୀତିକାର ଗୁଲଜାର ଦେଇଥିଲେ ଭାବପୂର୍ଣ୍ଣ ବକ୍ତବ୍ଯ। ୨୦୨୩ ବର୍ଷ ନିମନ୍ତେ ୨୪ଟି ଭାରତୀୟ ଭାଷାରେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା କୃତୀ ସ୍ରଷ୍ଟାଙ୍କୁ ପୁରସ୍କୃତ କରାଯାଇଥିଲା।