ଅମରନାଥରେ ଫସି ରହିଛନ୍ତି ୫ ଓଡ଼ିଆ ଯାତ୍ରୀ, ସହାୟତା ପାଇଁ ନିବେଦନ

ରାୟଗଡ଼ା: ଗତ କାଲି ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା ଯୋଗୁଁ ପାହାଡ଼ ରୁ ଦ୍ରୁତ ଗତିରେ ପାଣି ମାଡ଼ି ଆସିବାରୁ ତିନି ଜଣ ମହିଳା ଙ୍କ ସମେତ ୧୬ ଜଣ ଲୋକଙ୍କ ମୃତ୍ୟ ଘଟିଛି । ଏବେବି ଅନେକ ଲୋକ ଫସି ରହିଛନ୍ତି  । ଉଦ୍ଧାର କାର୍ଯ୍ୟ ଜାରି ରହିଛି  । ତେବେ ଏହି ଅମରନାଥ ଯାତ୍ରାରେ ୫ଜଣ ଓଡିଆ ସାମିଲ ଥିଲେ ।

ବାଦଲ ଫଟା ବର୍ଷା ଦାଉରୁ ସୁରକ୍ଷିତ ବଞ୍ଚିଛନ୍ତି ହେଲେ ସେଠାରୁ ଆସିବା ପାଇଁ ସୁବିଧା ନଥିବା ଯୋଗୁଁ ଓଡିଶା ସରକାରଙ୍କୁ ସହାୟତା ମାଗିଛନ୍ତି  । ତେବେ ରାୟଗଡା ଜିଲ୍ଲା ରୁ ପାଞ୍ଚ ଜଣ ଅମରନାଥ ଦର୍ଶନ ପାଇଁ ଯାଇଥିବା ସମସ୍ତେ ଅଲ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଛନ୍ତି । ସମସ୍ତ ଙ୍କ ଜିନିଷ ପତ୍ର ଓ ଟଙ୍କା ଭାସୀଯାଇଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି । ସମସ୍ତେ ରାୟଗଡା ସହର ର ବାସିନ୍ଦା  ।

ସେମାନେ ହେଲେ ବସନ୍ତ କୁମାର ସେନାପତି, ସୌମ୍ୟ ରଞ୍ଜନ ପାତ୍ର, କେ ରବି କୁମାର, ଟୁକୁନା ପ୍ରଧାନ ଓ ନିହାର ରଞ୍ଜନ ପାତ୍ର ବୋଲି ଜଣା ପଡ଼ିଛି । ସମସ୍ତେ ଅମରନାଥ ରୁ ଚାଲି ଚାଲି ବଲତାଲ ଯାଉଛନ୍ତି  । ଗାଡ଼ି ସୁବିଧା ନଥିବା କାରଣରୁ ସେମାନେ ଚାଲି ଚାଲି ଯାଉଛନ୍ତି  । ଜମୁ ପର୍ଯ୍ୟନ୍ତ ଯିବା ପାଇଁ ସେମାନେ ସହାୟତା ମାଗିଛନ୍ତି  । ଗତ ୧ ତାରିଖ ରୁ ସମସ୍ତେ ଅମରନାଥ ଦର୍ଶନ ନିମନ୍ତେ ବାହାରିଥିଲେ । ଆସନ୍ତା ୧୭ ତାରିଖ ରେ ଫେରିବା ର କାର୍ଯ୍ୟକ୍ରମ ରହିଛି ।