ଘରକୁ ଫେରିବେ ଅମରନାଥରେ ଫସିଥିବା ଓଡ଼ିଆ ଯାତ୍ରୀ

ରାୟଗଡ଼ା: ଘରକୁ ଫେରିବେ ଅମରନାଥରେ ଫସିଥିବା ଓଡ଼ିଆ ଯାତ୍ରୀ । ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଅମରନାଥ ଯାଇଥିବା ସମସ୍ତ ଯାତ୍ରୀଙ୍କୁ ମିଳିବ ସବୁ ସୁବିଧା । ରାୟଗଡ଼ାରୁ ୫ ଜଣ ଯାତ୍ରୀ ଅମରନାଥ ଯାତ୍ରାରେ ଯାଇଥିଲେ । ଏହି ୫ ଯାତ୍ରୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ନେଇ ସମସ୍ତ ବ୍ୟବସ୍ଥା ରାୟଗଡ଼ା ଜିଲ୍ଲାପାଳ କରିଛନ୍ତି । ରାୟଗଡ଼ାରୁ ଯାଇଥିବା ସମସ୍ତ ୫ ଯାତ୍ରୀ ଆଜି ଜାମ୍ମୁ ଫେରୁଛନ୍ତି । ଜାମ୍ମୁରୁ ଦିଲ୍ଲୀ ଆସିବାର କାର୍ଯ୍ୟକ୍ରମ ରହିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ପ୍ରକାଶ କରିଛନ୍ତି ଅମରନାଥ ଯାଇଥିବା ଯାତ୍ରୀ ଟୁକୁନା ପ୍ରଧାନ ।

ଗତ ଶୁକ୍ରବାର ଅମରନାଥ ଗୁମ୍ଫା ନିକଟରେ ବାଦଲ ଫାଟି ପାହାଡ଼ରୁ ଦ୍ରୁତ ଗତିରେ ପାଣି ମାଡ଼ି ଆସିଥିଲା । ଯାହାଫଳରେ ତିନି ଜଣ ମହିଳାଙ୍କ ସମେତ ୧୬ ଜଣ ଲୋକଙ୍କ ମୃତ୍ୟ ହେଇଛି । ଏହି ଘଟଣାରେ ରାୟଗଡ଼ା ଜିଲ୍ଲାରୁ ପାଞ୍ଚ ଜଣ ଅମରନାଥ ଦର୍ଶନ ପାଇଁ ଯାଇଥିବା ସମସ୍ତେ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଛନ୍ତି । ସମସ୍ତଙ୍କ ଜିନିଷ ପତ୍ର ଓ ଟଙ୍କା ଭାସିଯାଇଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି ।