ଓଡ଼ିଆ ପକ୍ଷ ପାଳନକୁ ନେଇ ତେଜିଲା ରାଜନୀତି, ସରକାରଙ୍କ ନିଷ୍ପତ୍ତିକୁ ସବୁଠି ସମାଲୋଚନା

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଓଡ଼ିଆ ପକ୍ଷ ପାଳନ ପ୍ରସଙ୍ଗକୁ ନେଇ ତେଜିଛି ରାଜନୀତି। ଓଡ଼ିଆ ପକ୍ଷ ପାଳନ ପ୍ରସଙ୍ଗକୁ ନେଇ କଟାକ୍ଷ କରିଛି ବିଜେଡି। ଡବଲ ଇଞ୍ଜିନ ସରକାରରେ ଗୋଟିଏ ଇଞ୍ଜିନ ଆଉ ଗୋଟେ ଇଞ୍ଜିନର ପକ୍ଷ ଛେଦନ କରୁଛନ୍ତି । ଏମିତିରେ କି ପକ୍ଷ ପାଳନ କରିବେ ବୋଲି କଟାକ୍ଷ କରାଯାଇଛି । ଓଡିଶା ସରକାର ଦଶ ମାସରେ କେତେ କେନ୍ଦ୍ରୀୟ ଅନୁଦାନ ପାଉଛନ୍ତି ତାର ହିସାବ ଦେବେ କି ବୋଲି ପ୍ରଶ୍ନ ହୋଇଛି । କେନ୍ଦ୍ର ସରକାର ପ୍ରତ୍ୟେକ ଦିନ ରାଜ୍ୟର ସ୍ୱାର୍ଥର ପକ୍ଷ ଛେଦନ କରୁଛନ୍ତି । ପ୍ରଥମେ ରାଜ୍ୟ ସରକାର ନିଜର ପକ୍ଷ ମଜଭୁତ କରନ୍ତୁ । ବିନା ଭୟରେ ବିନା ରାଜନୀତିରେ ନିଜର ପକ୍ଷ କେନ୍ଦ୍ର ଆଗରେ ଜୋରଦାର ଉପସ୍ଥାପନ କରନ୍ତୁ। ନିର୍ବାଚନ ଜିତିବା ପାଇଁ ଅସ୍ମିତା କଥା କହିଲେ। ହେଲେ କାର୍ଯ୍ୟରେ କରି ଦେଖାଅ ବୋଲି ଦଳ ପକ୍ଷରୁ କୁହାଯାଇଛି । ପ୍ରତେକ ଦିନ ଓଡ଼ିଆ ଅସ୍ମିତା କ୍ଷୁଣ୍ଣ ହେଉଛି । ତେଣୁ ପକ୍ଷ ପାଳନ ଏକ ଘୋଡ଼ଣି ମାତ୍ର । ରାଜ୍ଯର ମୋହନ ସରକାର ସବୁବେଳେ ଦୋ ଛୋକିରେ ଓ କୌଣସି ନିଷ୍ପତ୍ତି ନେଇପାରୁ ନାହାନ୍ତି । ସରକାରଙ୍କୁ ରାସ୍ତା ମିଳୁନି ବୋଲି କଟାକ୍ଷ କରିଛି ବିଜେଡି।

ସେପଟେ ଓଡ଼ିଆ ପକ୍ଷ ପାଳନ ପ୍ରସଙ୍ଗରେ ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଛି କଂଗ୍ରେସ । ଓଡ଼ିଆ ପକ୍ଷ ସରକାର କାହିଁକି ପାଳନ କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି। ରାଜ୍ୟରେ ଓଡ଼ିଆ ଠିକାଦାରମାନଙ୍କୁ କାମ ମିଳୁନି । ବଡ ବଡ କମ୍ପାନୀ ଆସି ବାହାରୁ ଆସି ଓଡ଼ିଶାରେ ନିର୍ମାଣ କାମ କରୁଛନ୍ତି । ଓଡ଼ିଆ ବରପୁତ୍ରମାନଙ୍କୁ ସରକାର ସମ୍ମାନ ଦେଇପାରୁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି । ଓଡ଼ିଆ ଅସ୍ମିତା ନାଁରେ ଓଡ଼ିଶାର କଳା ଏବଂ ସଂସ୍କୃତିକୁ ନଷ୍ଟ କରିବାକୁ ଯୋଜନା ଚାଲିଛି ବୋଲି ବଡ଼ ଅଭିଯୋଗ ଆଣିଛି କଂଗ୍ରେସ । ସେପଟେ ଓଡ଼ିଆ ଅସ୍ମିତା ପରିଷଦ ଏହି ପ୍ରସଙ୍ଗରେ କୋଟିଆରେ ବାରମ୍ବାର ଆନ୍ଧ୍ର ଅନୁପ୍ରବେଶର କଥା ମନେ ପକାଇଦେଇଛନ୍ତି । ଆନ୍ଧ୍ର କୋଟିଆରେ ଆଧାର ଅପଡେଟ କରିବାକୁ ଉଦ୍ୟମ କରୁଛି। ଏହା କଲେ ସେମାନେ ସୁପ୍ରିମକୋର୍ଟରେ ପ୍ରମାଣ କରିଦେବେ କୋଟିଆ ଓଡ଼ିଶାର ନୁହେଁ ଆନ୍ଧ୍ରର। ତେଣୁ ସୀମା ସୁରକ୍ଷା ପାଇଁ ସରକାର ଆଗେ ତତ୍ପର ହୁଅନ୍ତୁ। ଗୃହ କମିଟି କୋଟିଆ ଓ ଶଙ୍ଖମେଦି ଅଞ୍ଚଳ ଗସ୍ତ କରିବା ସହ ଓଡିଶା ସରକାର ପଡୋଶୀ ସରକାରଙ୍କ ସହ ଆଲୋଚନା କରି ନିଜ ଅଞ୍ଚଳକୁ ଆଗେ ସୁରକ୍ଷିତ କରନ୍ତୁ ଦାବି ରଖିଛି ଓଡ଼ିଆ ଅସ୍ମିତା ପରିଷଦ। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏପ୍ରିଲ ଏକ ତାରିଖରେ ସବୁ ଜିଲ୍ଲାରେ ଓଡିଶା ଦିବସ ପାଳନ ହେବା ସହ ୨ ତାରିଖରେ ଖଡ଼ିଛୁଆଁ ଦିବସ, ୩ ରେ ପାରଂପରିକ ପୋଷାକ ପରିଧାନ ଦିବସ, ୫ ରେ ଭୁବନେଶ୍ୱରରେ ଐତିହ୍ୟ ଗଣଦୌଡ଼ ଏବଂ ୧୩ ତାରିଖ ଯାଏ ଏଭଳି ବିଭିନ୍ନ ଢଙ୍ଗରେ ଭିନ୍ନ ଭିନ୍ନ ଦିବସ ପାଳନ କରାଯିବ। ଶେଷରେ ଏପ୍ରିଲ ୧୪ ତାରିଖକୁ ଓଡ଼ିଆ ନବବର୍ଷ ଭାବେ ମହାସମାରୋହରେ ପାଳନ କରାଯିବ। ଏସବୁକୁ ନେଇ ଓଡ଼ିଆ ପକ୍ଷ ପାଳନ ନିଷ୍ପତ୍ତି ହୋଇଥିବା ବେଳେ ସରକାରଙ୍କୁ ଓଡ଼ିଶାର ସୀମା ଓ ସ୍ୱାର୍ଥର ସୁରକ୍ଷା ପ୍ରସଙ୍ଗ ନେଇ ବିରୋଧୀ ଘେରିଛନ୍ତି ।