spot_img

Latest Posts

ସଂସଦ ସୁରକ୍ଷାରେ ତ୍ରୁଟି, ଜାଣନ୍ତୁ ଏନେଇ କ’ଣ କହିଲେ ଓଡ଼ିଆ ସାଂସଦ?

ନୂଆଦିଲ୍ଲୀ: ସଂସଦ ଅଧିବେଶନ ଚାଲିଥିବାବେଳେ ସୁରକ୍ଷା ବ୍ୟବସ୍ଥାରେ ବଡ଼ଧରଣର ତ୍ରୁଟି। ଲୋକସଭା ଗ୍ୟାଲେରୀରୁ ଚାମ୍ବରକୁ ଡେଇଁଲେ ଦୁଇ ବ୍ୟକ୍ତି। ସଂସଦ ଆକ୍ରମଣର ୨୨ ତମ ବାର୍ଷିକୀରେ ଘଟିଛି ଅଘଟଣ। ଏହି ଘଟଣା ପରେ ଲୋକସଭାକୁ ମୁଲତବୀ ଘୋଷଣା କରାଯାଇଛି। ଜାଣନ୍ତୁ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ନେଇ ଓଡ଼ିଆ ସାଂସଦ ମାନେ କ’ଣ କହିଛନ୍ତି…

କେଉଁ ସାଂସଦଙ୍କ ପାସ୍‌ରେ ସଂସଦ ଭିତରକୁ ପ୍ରବେଶ କଲେ ସମ୍ପୃକ୍ତ ଯୁବକ ମାନେ, ତାହା ତଦନ୍ତ ସାପେକ୍ଷ। କଡ଼ାକଡି ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏଭଳି ଅଘଟଣ କାହିଁକି ଘଟିଲା । ସୁରକ୍ଷାରେ ମେଟାଲ୍ ଡିଟେକ୍ଟର ଥାଇ ମଧ୍ୟ କିଭଳି ଜଣାପଡିଲାନାହିଁ। ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରାଯିବା ନେଇ ପ୍ରକାଶ କରିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ।

ଆଜିର ଦିନରେ ଏଭଳି ଘଟଣା ଘଟିବା ଆଦୌ ସମୀଚିନ ନୁହେଁ। ଦର୍ଶକ ଗ୍ୟାଲେରିରୁ ଡେଇଁଥିଲେ ଦୁଇ ଯୁବକ। ପରେ ତାଙ୍କୁ କାବୁ କରାଯାଇଥିଲା। ସେମାନେ କଲର ସ୍ପ୍ରେ ମାରି ବୋଧହୁଏ ଖସିଯିବାକୁ ପ୍ଲାନ କରୁଥିଲେ କିନ୍ତୁ ଧରା ପଡିଗଲେ। ଘଟଣାକୁ ଦୁର୍ଭାଗ୍ୟଜନକ କହିଲେ ଢେଙ୍କାନାଳ ସାଂସଦ ମହେଶ ସାହୁ।

‘ପ୍ରଥମେ ଜଣେ ଡେଇଁଲା ତା’ ପରେ ଆଉ ଜଣେ, ଗୃହ ଭିତରେ ଏପରି ବିଲକୁଲ ଘଟିବା କଥା ନୁହେଁ’। ଗୃହ ମଧ୍ୟକୁ ଦୁଇ ଯୁବକ ଡେଇଁବା ପରେ ପାଖରେ ଥିବା କିଛି ଜିନିଷକୁ ଅଚାନକ ଖୋଲିଥିଲେ, ଯାହା ପରେ ସାରା ପରିବେଶ ଧୂଆଁମୟ ହୋଇପଡିଥିଲା। ପରବର୍ତ୍ତୀ ସମୟରେ ଗୃହକୁ ମୁଲତବି କରାଯାଇଥିଲା ବୋଲି କହିଛନ୍ତି ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ।

ଉଲ୍ଲେଖଯୋଗ୍ୟ, ଭିଜିଟର୍ସ ଗ୍ୟାଲେରିରୁ ଜଣେ ଯୁବକ ଲମ୍ଫ ପ୍ରଦାନ କରୁଥିବା ସମୟରେ ବିଜେପି ସାଂସଦ ଖାର୍ଗେନ ମୁର୍ମୁ ଭାଷଣ ଦେଉଥିଲେ । ଡେଇଁଥିବା ଯୁବକଙ୍କ ମଧ୍ୟରୁ ଜଣେ ଗାଢ ନୀଳ ସାର୍ଟ ପିନ୍ଧିଥିବା ଦେଖାଯାଉଛି । କିଛିଦିନ ତଳେ ଶିଖସ ଫର ଜଷ୍ଟିସ ନେତା ଗୁରୁ ପତଓ୍ବନ୍ତ ସିଂ ପନ୍ନୁର ସଂସଦ ଭବନ ଆକ୍ରମଣ ଲାଗି ଧମକ ଦେଇଥିଲେ। ଡେଇଁଥିବା ବ୍ୟକ୍ତି ହଳଦିଆ ଗ୍ୟାସ ପ୍ରୟୋଗ କରିଥିବା ସୂଚନା ମିଳିଛି । ଏହି କାଣ୍ଡ ଘଟାଉଥିବାବେଳେ ସେମାନେ କିଛି ସ୍ଲୋଗାନ ଦେଉଥିବା ଜଣାଯାଇଛି । ଏହି ଦୁଇ ବ୍ୟକ୍ତି ଜୋତା ଭିତରେ କିଛି ଲୁଚାଇ ରଖିଥିବା ବେଳେ ଗୃହ ଭିତର ଧୂଆଁମୟ ହୋଇପଡିଥିଲା । ତେବେ ଦୁଇ ଜଣଙ୍କୁ କାବୁ କରିଛନ୍ତି ସୁରକ୍ଷା କର୍ମୀ ।

Latest Posts

Don't Miss