ପୁଣି ଏକ ନିଚ୍ଛକ ଓଡିଆ କାହାଣୀକୁ ନେଇ ମହୁରତ୍ ହେଲା ଚଳଚ୍ଚିତ୍ର ‘ପ୍ରଥା’

1 min read

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ଜଗତ ପୁଣି ଚଳଚଞ୍ଚଳ ହେଉଛି । ଦର୍ଶକ ମାନେ ନିଜ ମନ ମୁତାବକ ଚଳଚ୍ଚିତ୍ର ଦେଖିବାକୁ ପାଉଥିବାରୁ ପୁଣି ଫେରିଛନ୍ତି ଫିଲ୍ମ ହଲ କୁ ନିଜର ମନପସନ୍ଦ ର ଚଳଚ୍ଚିତ୍ର ଦେଖିବା ପାଇଁ, କାରଣ ଓଡିଆ ଦର୍ଶକ ଖୋଜୁଥିବା ଆମ ରାଜ୍ୟର ପରମ୍ପରା ଓ ରୀତିନୀତିକୁ ନେଇ ହେଉଥିବା କାହାଣୀ ପୁଣି ଦେଖିବାକୁ ପାଇଛନ୍ତି । ନିକଟରେ ସୁପରହିଟ ହୋଇଥିବା ଚଳଚ୍ଚିତ୍ର ‘ଦମନ’ ଓ ‘ପ୍ରତୀକ୍ଷା’ ତା’ର ଉଦାହରଣ । ସେହିପରି ଏକ ନିଛକ ଓଡିଆ କାହାଣୀ କୁ ନେଇ ଆସୁଛି ସାନ୍ଲିସା ସିଗ୍ନେଚର ଫିଲ୍ମସର ପ୍ରଥମ ଅବଦାନ ‘ପ୍ରଥା’ । ଭୁବନେଶ୍ବରର ଏକ ଘରୋଇ ପଞ୍ଚତରକା ହୋଟେଲରେ ଏହି ଚଳଚ୍ଚିତ୍ର ର ମହୁରତ୍ ହୋଇଯାଇଛି ।

ଏହି ଅବସରରେ ଓଡିଆ ଚଳଚ୍ଚିତ୍ର ଜଗତର ଭେଟେରାନ୍ ଅଭିନେତା ଉତ୍ତମ ମହାନ୍ତିଙ୍କ ସହ ‘ପ୍ରଥା’ ର ନିର୍ଦ୍ଦେଶକ, ପ୍ରଯୋଜକ, ଅଭିନେତା ଓ ଅଭିନେତ୍ରୀଙ୍କ ଛଡା ଅନ୍ୟାନ୍ୟ କ୍ରୁ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ‘ପ୍ରଥା’ ହେଉଛି ଆମ ଓଡ଼ିଶାର କାହାଣୀ,ଆମ ଗାଁ’ର କାହାଣୀ । ଯେପରି ଏଇ କାହାଣୀର ନାଁ’ କହୁଚି,ଏହି କାହାଣୀ ଆମ ଓଡ଼ିଶାର ପ୍ରଥା ଓ ପରମ୍ପରା ଉପରେ ଆଧାରିତ। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ସ୍ବରାଜ ବାରିକ, ଶୀତଲ ପାତ୍ର ଓ ମୁମ୍ବାଇ ର ଜଣେ ଅଭିନେତ୍ରୀ ତଥା ମଡେଲ ସିମ୍ରନ କୌର । ସିମ୍ରନ ଲୋକପ୍ରିୟ ଏନିମେସନ୍ ସିରୀଜ ଡୋରେମନ୍ ର ଭଏସ୍ ଆର୍ଟିଷ୍ଟ ଯିଏ ନୋବିତା ପାଇଁ ଭଏସ୍ ଦିଅନ୍ତି ।

ଏମାନଙ୍କ ଛଡା ଚୌଧୁରୀ ବିକାଶ ଦାସ, ବବି ମିଶ୍ର, ଯଶଃ ଆଲୱାହଟ (ବଲିଉଡ୍ ଅଭିନେତା), ଆଶୁ ବର୍ମା (ପଞ୍ଜାବର ମଡେଲ, ଅଭିନେତା ଏବଂ ନିର୍ଦ୍ଦେଶକ), ରବି ମିଶ୍ର, ସତିଶ ପଟେଲ ଓ ଇଲ୍ଲୁ ବାନର୍ଜୀ, ଚୌଧୁରୀ ଜୟପ୍ରକାଶ ଦାସ ଏବଂ ଅସିତା ଶତପଥି ଙ୍କୁ ମଧ୍ୟ ଅନ୍ୟାନ୍ୟ ଭୂମିକାରେ ଦେଖିବାକୁ ମିଳିବ । ଆମେ ଯୁଗ ଯୁଗନ୍ତାରୁ ବହୁତ କିଛି ପ୍ରଥା, ପରମ୍ପରା ଓ ରୀତିନୀତି ବିନା ପ୍ରଶ୍ନରେ ମାନି ଆସୁଛେ । ଏଗୁଡିକ ମଧ୍ୟରୁ କିଛି ଭଲ ଆଉ କିଛି କ୍ଷତିକାରକ । ଏମିତି ବି କିଛି ପ୍ରଥା ଓ ରୀତିନୀତି ଅଛି ଯାହା ପୂର୍ବ କାଳରେ ଉପଯୁକ୍ତ ଥିଲା ହେଲେ ଆଜିର ସମୟରେ ମୂଲ୍ୟହୀନ ।

ଏସବୁ ଜାଣି ମଧ୍ୟ ଆମେ ସେ ସବୁକୁ ଅନୁକରଣ କରି ଅସୁଛେ । କାହାଣୀଟି ସେହିପରି କିଛି ପ୍ରଥା, ପରମ୍ପରା, ରୀତିନୀତି ଏବଂ ଏଥିରେ ଥିବା କିଛି ବିଶ୍ବାସ, ଅବିଶ୍ବାସ ଓ ଏଥିରେ ଆସିଥିବା ପରିବର୍ତ୍ତନକୁ ଆମ ସାଧାରଣ ଲୋକ କିପରି ଅପଣାଇବାକୁ ସକ୍ଷମ ଏବଂ ଅକ୍ଷମ ହେଉଛନ୍ତି, ତାକୁ ହିଁ ବ୍ୟାକ୍ଷା କରୁଛି । ଗ୍ରାମାଞ୍ଚଳର ଜୀବନ ବଞ୍ଚିବା ଶୈଳୀ ଏବଂ ସହରାଞ୍ଚଳର ଜୀବନ ବଞ୍ଚିବା ଶୈଳୀ କେତେ ଅଲଗା, ସେଇଟା ଆମେ ଏହି ଚଳଚ୍ଚିତ୍ର ମାଧ୍ୟମରେ ଦେଖିବାକୁ ପାଇବା । ଏକା ଭଳି ପରିସ୍ଥିତିରେ ଥିଲେ ବି ଦୁଇଟା ଲୋକଙ୍କର ଜୀବନ କେତେ ଅଲଗା ହେଇପାରେ ତାହା ଏଇ ଚଳଚ୍ଚିତ୍ର ମାଧ୍ୟମରେ ନିର୍ଦ୍ଦେଶକ କେ. ମୂରଲୀ କ୍ରୀଷ୍ଣା ଆପଣଙ୍କୁ ଦେଖାଇବାର ପ୍ରୟାସ କରିବେ ।

ସ୍ଵରାଜ ଲଭରବୟ ଭୂମିକାରୁ ବାହାରି ଏକ ନୂତନ ଧରଣର ଚରିତ୍ରରେ ଅଭିନୟ କରିବା ପ୍ରଥମ । ଶୀତଲଙ୍କୁ ଜଣେ ଗାଁ ଝିଅର ଭୂମିକାରେ ଆମେ ଦେଖିବାକୁ ପାଇବା । ଏହା ଛଡା ବଲିଉଡ୍ ଅଭିନେତ୍ରୀ ସିମ୍ରନ କୌର ଜଣେ ଆଧୁନିକ, ସ୍ବାଧୀନ ନାରୀର ଚରିତ୍ରରେ ଆସିବେ । ଉଭୟ ଶିତଲ ଏବଂ ସିମ୍ରନ ଭିନ୍ନ ଭିନ୍ନ ପରିବେଶରେ ରହି ମଧ୍ୟ କିପରି ଏକା ଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ଏବଂ ଦୁହେଁ ସେହି ପରିସ୍ଥିତି ସାମ୍ନା କିପରି କରୁଛନ୍ତି, ତାହା ‘ପ୍ରଥା’ କାହାଣୀର ଏକ ମୁଖ୍ୟ ଅଂଶ । ଏହା ଆଜିକା ସମୟରେ ଗ୍ରାମାଞ୍ଚଳର ନାରୀ ଏବଂ ସହରାଞ୍ଚଳର ନାରୀ ମଧ୍ୟରେ ଥିବା ଅନ୍ତରକୁ ପରିବେଷିତ କରିବା ।

ଚଳଚ୍ଚିତ୍ର ଟି କୋରାପୁଟ, ଦିଲ୍ଲୀ ଏବଂ ରାଜସ୍ଥାନରେ ଶୂଟ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ଅଛି l ଚଳଚ୍ଚିତ୍ର ପ୍ରଥା ର ଅନ୍ୟାନ୍ୟ ଦାୟିତ୍ୱ ରେ ଯେମିତି କି ଡିଓପି ନରେନ୍ଦ୍ର ଗୌଡ଼, ସଙ୍ଗୀତ ନିର୍ଦ୍ଦେଶନା ଅସଦ ନିଜାମ, ସଂଳାପ ବିଜୟ କୁମାର ରାଉଳ, କୋରିଓଗ୍ରାଫର ଆରିୟନ ଓ ଲାଇନ୍ ପ୍ରଡୁସର ବିଜୟ ପାତ୍ର ଅଛନ୍ତି l ମହୁରତ ଉତ୍ସବର ମଞ୍ଚ ପରିଚାଳନା ଦାୟିତ୍ୱ ରେ ଥିଲେ ଆର.ଜେ ଗୁଡ୍ଡୀ l ଚଳଚ୍ଚିତ୍ର ପ୍ରଥା ର ପ୍ରଚାର ପ୍ରସାର ଦାୟିତ୍ୱ ରେ ଅଛନ୍ତି ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ l