ଓଡ଼ିଆ ଶ୍ରମିକଙ୍କୁ ସୁରତ ଫେରାଇବାକୁ ପ୍ରୟାସ
ଭୁବନେଶ୍ୱର, ୧୧/୦୬: କରୋନା ଛଡେଇ ନେଇଛି କେତେ ଜୀବନ ଆଉ ଜୀବିକା । ଲକ୍ଷ ଲକ୍ଷ ଶ୍ରମିକ ହୋଇଛନ୍ତି ଛଟେଇ । ଆଜି ବି ଲକ୍ଷ ଲକ୍ଷ ଶ୍ରମିକ କାମ ନ ପାଇ ଘରେ ବସିରହିଛନ୍ତି । ଏହାରି ଭିତରେ ସମୃଦ୍ଧ ସହର ସୁରତ ଖୋଜୁଛି ଓଡିଆ ଶ୍ରମିକଙ୍କୁ । ପ୍ରବାସୀଙ୍କୁ ଫେରାଇ ନେବା ପାଇଁ ସୁରତରୁ ଗଂଜାମର କବିସୂର୍ଯ୍ୟନଗର ଓ ଖଲିକୋଟରେ ଆସି ପହଁଞ୍ଚିଛି ପ୍ରବାସୀ ଓଡିଆ ଶ୍ରମିକ ଟ୍ରଷ୍ଟ । ପ୍ରଥମ ପର୍ଯ୍ୟାୟରେ ୧୮ ଜଣିଆ ଟିମ ଆସି ପହଁଞ୍ଚିଛି ପ୍ରବାସୀଙ୍କ ପାଖରେ ।
ଓଡିଆଙ୍କ ବିନା ସୁରତ ଏକ ପ୍ରକାର ଅଚଳ ହୋଇଯାଇଛି । ସବୁ କାରଖାନାରେ ସିଂହଭାଗ ଓଡିଆ ଶ୍ରମିକ କାମ କରୁଥିଲେ । ହେଲେ କରୋନା ମହାମାରୀ ଯୋଗୁଁ ସବୁ ଏବେ ଘରେ। କର୍ମକ୍ଷେତ୍ରକୁ ପୁଣି ଥରେ ଫେରାଇ ନେବାକୁ ଚାଲିଛି ପ୍ରୟାସ । କଟକଣା କୋହଳ ପରେ କର୍ମକ୍ଷେତ୍ରରେ ଯୋଗଦେବା ନେଇ ପ୍ରସ୍ତାବ ରଖିଛି ପ୍ରବାସୀ ଓଡିଆ ଶ୍ରମିକ ଟ୍ରଷ୍ଟ । ଏହାସହ ୧୨ ଘଣ୍ଟିଆ ଡ୍ୟୁଟି ବଦଳରେ ୮ ଘଣ୍ଟିଆ ଡ୍ୟୁଟି ଓ ଭବିଷ୍ୟନିଧି ପାଣ୍ଠିରେ ସାମିଲ କରିବାକୁ ମଧ୍ୟ ଦେଇଛି ପ୍ରତିଶ୍ରୁତି । ପ୍ରବାସୀ ଓଡିଆଙ୍କ ଭବିଷ୍ୟତ ନେଇ ଉଭୟ ଓଡିଶା ଓ ଗୁଜୁରାଟ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ଟ୍ରଷ୍ଟର ସଭାପତି ପ୍ରଦୀପ ସାହୁ କହିଛନ୍ତି।