spot_img

Latest Posts

ସବୁ ସରକାରୀ ଅଫିସରେ ଓଡ଼ିଆ ଭାଷାରେ ଚାଲିବ ସରକାରୀ କାର୍ଯ୍ୟ

ଭୁବନେଶ୍ବର : ଓଡିଆରେ ଚାଲିବ ଶାସନ । ପୁଣି ଚିଠି ଲେଖିଲେ ସରକାର । ବିଜେଡି କହିଲା, ଭାଷା ଚିଠି ଏକ ପ୍ରହେଳିକା । ମିଛ ଅସ୍ମିତାକୁ ଟାର୍ଗେଟ କଲା କଂଗ୍ରେସ । ଓଡିଆରେ ହେବ ଶାସନ । ବାରମ୍ବାର ରାଜ୍ୟ ସରକାର ଚିଠି ମାଧ୍ୟମରେ ନିର୍ଦ୍ଦେଶନାମା ଜାରି କରୁଛନ୍ତି । ହେଲେ ଫଳ ଶୂନ । ସମସ୍ତ ବ୍ଲକ, ଜିଲ୍ଲାସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ଏଣିକି ଓଡିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ କରାଯିବ । ସରକାରୀ କାର୍ଯ୍ୟାଳୟରୁ ପ୍ରକାଶ ପାଉଥିବା ସମସ୍ତ ନୋଟିସ, ବିଜ୍ଞପ୍ତି, ପତ୍ର ବିନିମୟ ଇତ୍ୟାଦି ଓଡିଆ ଭାଷାରେ ହେବ । ଯେଉଁ ଅଧିକାରୀ ଏହାର ଖିଲାପ କରିବେ, ତାଙ୍କୁ ଏହି ବିଷୟରେ ତାଗିଦ କରାଯିବ । ଆବଶ୍ୟକ ହେଲେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ । ଏନେଇ ରାଜ୍ୟର ସମସ୍ତ ବିଭାଗ, ସମସ୍ତ ବିଭାଗୀୟ ମୁଖ୍ୟ ଦପ୍ତର ସମସ୍ତ ଜିଲ୍ଲାପାଳଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସ୍ୱତନ୍ତ୍ର ଶାସନ ସଚିବଙ୍କ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଓଡ଼ିଆ ଭାଷା ପ୍ରଚଳନ ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା ହୋଇଛି । ଯେଉଁମାନେ ନାହାନ୍ତି ସେମାନଙ୍କୁ ସରକାରୀ ସ୍ତରରେ ଚେତାବନୀ ଦିଆଯାଇଛି । ଏହା ଏକ ନିରନ୍ତର ପ୍ରୟାସ। କାଳେ ଭୁଲ ହୋଇଯିବ ବୋଲି ସରକାରୀ ଅଧିକାରୀ ଓଡିଆ ଲେଖୁ ନାହାନ୍ତି ବୋଲି ଯୁକ୍ତି ବାଢିଛନ୍ତି ମନ୍ତ୍ରୀ ।

ରାଜ୍ୟ ସରକାରଙ୍କ ଚିଠି ଅନୁସାରେ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସମସ୍ତ ଅଧସ୍ତନ କାର୍ଯ୍ୟାଳୟ, ସରକାରଙ୍କ ଦ୍ବାରା ପରିଚାଳିତ ସମସ୍ତ ଅନୁଷ୍ଠାନ ଯେପରି କି ବିଭିନ୍ନ ନିଗମ, ପୌର ସଂସ୍ଥା ଓ ସ୍ବୟଂ ଚାଳିତ ସଂସ୍ଥା ଇତ୍ୟାଦି ଏହି ନିର୍ଦ୍ଦେଶକୁ ପାଳନ କରିବେ । ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ଏ ସରକାରଙ୍କ କଥାକୁ କେହି ମାନୁନାହାନ୍ତି । ସରକାର କେବଳ ଘୋଷଣାରେ ସୀମିତ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ବିଜେପି ଓଡିଆ ଅସ୍ମିତାର ମିଛ ନାରା ଦେଇ ସରକାରକୁ ଆସିଛି । ସରକାରୀ ସ୍ତରରେ ଓଡିଆ ଭାଷା ପ୍ରଚଳନକୁ କଡାକଡି କରିବା ପାଇଁ ବାରମ୍ବାର ଉଦ୍ୟମ ହେଉଥିଲେ ମଧ୍ୟ ତାହା ପାଳନ କରିବା ସମ୍ଭବ ହୋଇନାହିଁ ।

Latest Posts

Don't Miss