୬ ମହଲା ବିଲ୍ଡିଂରୁ ଠେଲି ଯୁବତୀଙ୍କୁ ହତ୍ୟା !

1 min read

ନୂଆଦିଲ୍ଲୀ: ନୋଏଡ଼ାରେ ଜଣେ ଓଡ଼ିଆ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ନୋଏଡ଼ାର ସେକ୍ଟର-୪୯ ସ୍ଥିତ ହନୁମାନ ମୂର୍ତ୍ତି ପାଖରେ ଥିବା ଓୟୋ ଟାଉନସିପ୍ ହୋଟେଲର ୬ ମହଲାରୁ ଖସିପଡ଼ି ସେ ପ୍ରାଣ ହରାଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ମୃତ ଯୁବତୀ ହେଉଛନ୍ତି ପଦ୍ମିନୀ ପାଢ଼ୀ। ସେ ଗଜପତି ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡିର ଶ୍ରୀଧର ନଗର-୧ର ବାସିନ୍ଦା। ସେ ଭୁବନେଶ୍ୱରରେ ଗୋଟିଏ ଆଇଟି କମ୍ପାନିରେ କନସଲଟାଣ୍ଟ୍ ଇଞ୍ଜିନିୟର୍ ରୂପେ କାର୍ଯ୍ୟ କରୁଥିଲେ । ମଙ୍ଗଳବାର ରାତିରେ ଏହି ଘଟଣା ଘଟିବା ସମୟରେ ତାଙ୍କ ସହିତ ତାଙ୍କର ଜଣେ ବନ୍ଧୁ ପୂର୍ଣ୍ଣଚନ୍ଦ୍ର ସାହୁ ମଧ୍ୟ ସେଠାରେ ଉପସ୍ଥିତ ଥିବା ରିପୋର୍ଟରୁ ଜଣା ପଡିଛି । ତେବେ ଘଟଣା ପରେ ପୂର୍ଣ୍ଣଚନ୍ଦ୍ର ସେଠାରୁ ଫେରାର୍‌ ହୋଇଯାଇଥିବା ନୋଏଡ଼ା ପୁଲିସ୍‌ ସୂଚନା ଦେଇଛି ।

ରିପୋର୍ଟ ଅନୁଯାୟୀ ୧୦ ତାରିଖ ଦିନ ତାଙ୍କ ବନ୍ଧୁ ପୂର୍ଣ୍ଣଚନ୍ଦ୍ରଙ୍କୁ ଦେଖା କରିବା ପାଇଁ ସେ ନୋଏଡାରେ ପହଞ୍ଚିଥିଲେ । ପଦ୍ମିନୀଙ୍କ ପରିବାର ଲୋକ ଏ ସମ୍ପର୍କରେ ଜାଣି ନଥିଲେ। ପୂର୍ଣ୍ଣଚନ୍ଦ୍ର ସାହୁ ନୋଏଡ଼ା ଫେଜ୍-୨ର ଏକ କମ୍ପାନିରେ ଡିଜାଇନର ରୂପେ କାର୍ଯ୍ୟ କରନ୍ତି । ନୋଏଡ଼ା ପହଞ୍ଚିବା ପରେ ସେକ୍ଟର-୪୯ର ଓୟୋ ଟାଉନସିପ୍ ହୋଟେଲର ୬ ମହଲାରେ ୨୦୪ ନମ୍ବର ରୁମ୍‌ରେ ପଦ୍ମିନୀ ରହୁଥିଲେ । ସେହି ସମୟରେ ପୂର୍ଣ୍ଣଚନ୍ଦ୍ର ମଧ୍ୟ ସେହି ରୁମ୍‌ରେ ଥିଲେ । ମଙ୍ଗଳବାର ମଧ୍ୟରାତ୍ରୀରେ ୬ ମହଲାରୁ ପଦ୍ମିନୀ ଖସିପଡ଼ିଥିଲେ । ଏସମ୍ପର୍କରେ ହୋଟେଲ ମାଲିକ ପୁଲିସ୍‌କୁ ସୂଚନା ଦେଇଥିଲେ । ପଦ୍ମିନୀଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଏକ ଘରୋଇ ଚିକିତ୍ସାଳୟକୁ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟପକ୍ଷରେ ପଦ୍ମିନୀଙ୍କ ଖୋଜଖବର ନ ମିଳିବାରୁ ପରିବାର ଲୋକ ପ୍ରଥମେ ପୂର୍ଣ୍ଣଚନ୍ଦ୍ରଙ୍କୁ ଫୋନ୍‌ କରିଥିଲେ । କିନ୍ତୁ ପୂର୍ଣ୍ଣଚନ୍ଦ୍ର କୌଣସି ସୂଚନା ଦେବାକୁ ମନା କରିଦେଇଥିଲେ । ଏହାପରେ ପରିବାର ପକ୍ଷରୁ ଭୁବନେଶ୍ୱରରେ ଏକ ନିଖୋଜ ମାମଲା ରୁଜୁ କରାଯାଇଥିଲା । ତେବେ ପୁଲିସ୍‌ ପାଖରୁ ସୂଚନା ପାଇ ଗତକାଲି ପଦ୍ମିନୀଙ୍କ ପରିବାର ଲୋକ ନୋଏଡ଼ାରେ ପହଞ୍ଚିଥିଲେ । ପରିବାର ଲୋକ ପୂର୍ଣ୍ଣଚନ୍ଦ୍ର ସାହୁ ଓ ଆଉ ତାଙ୍କର ଅନ୍ୟ ଜଣେ ସହଯୋଗୀ ରୋହନ କୁମାରଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ।

ପୁଲିସ୍‌ ପଦ୍ମିନୀଙ୍କ ଶବ ଜବତ କରିବା ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି । ପଦ୍ମିନୀଙ୍କ ବାପା ମା’ ଗତକାଲି ପଦ୍ମିନୀଙ୍କ ଶବକୁ ନେଇ ଓଡ଼ିଶା ଫେରିଯାଇଥିବା ଜଣାପଡ଼ିଛି ।

Leave a Reply