ଓଡ଼ିଆ-କନ୍ନଡ଼ ଜାତୀୟ ଅନୁବାଦ କର୍ମଶାଳା ଉଦଯାପିତ

1 min read

ଭୁବନେଶ୍ୱର: ଓଡିଶା ସାହିତ୍ୟ ଏକାଡେମୀ, କର୍ଣ୍ଣାଟକ ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଚାରିଦିନିଆ ଓଡ଼ିଆ-କନ୍ନଡ଼ ଜାତୀୟ ଅନୁବାଦ କର୍ମଶାଳା ଉଦଯାପିତ ହୋଇଯାଇଛି  । ଗତ ୧୨ ତାରିଖରୁ ଏହି କର୍ମଶାଳା ଚାଲିଥିଲା । ଉଦଯାପନୀ ଉତ୍ସବ ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟରେ ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟ ଅତିଥି ଭାବେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଯୋଗଦେଇଥିଲେ । ଏହି ଅବସରେର ସେ କହିଥିଲେ, ଦୁଇ ଏକାଡେମି ପକ୍ଷରୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଆତିଥ୍ୟରେ ଆୟୋଜିତ ଅନୁବାଦ କର୍ମଶାଳା ବାରତର ଆଞ୍ଚଳିକ ଭାଷାଗୁଡିକ ମଧ୍ୟରେ ସଂଯୋଗ ଓ ସମନ୍ୱୟ ସ୍ଥାପନ କରିବ । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଏନ୍ ନାଗାରାଜୁଙ୍କ ପୌରୋହିତରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ, କର୍ଣ୍ଣାଟକ ସାହିତ୍ୟ ଏକାଡେମିର ସଭାପତି ବିଭି ବସନ୍ତ କୁମାର, କର୍ମଶାଳା ନିର୍ଦ୍ଦେଶକ ପ୍ରଫେସର ଏଚଏସ୍ ଶିବପ୍ରକାଶ, କୁଳସଚିବ ଯୁଗଳେଶ୍ୱରୀ ଦାଶ ଓ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡକ୍ଟର ରଘୁନାଥ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ବିଶ୍ୱବିଦ୍ୟାଳୟ ଇଂଲିସ ବିଭାଗର ମୁଖ୍ୟ ଅଞ୍ଜଳି ତ୍ରିପାଠୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ  ଓ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ  ।