ଜୁଆ ନେଲା ଜୀବନ: ବାକି ଶୁଝିନପାରି ପ୍ରାଣହାରିଲେ ଯୁବକ

1 min read

ଜଳେଶ୍ୱର: ଟ୍ରେଡିଂ ଆଣ୍ଡ ଗେମିଙ୍ଗ ନେଲା ଯୁବକଙ୍କ ଜୀବନ । ଚିଠି ଲେଖି ଜୀବନ ହାରିଲେ ଜଳେଶ୍ୱର ଥାନା ଆମ୍ବଳିଅଠା ଗାଁର ସୌମିତ୍ର ନନ୍ଦୀ । ଲକ୍ଷ୍ୟାଧିକ ଟଙ୍କା ହରାଇବା ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ସୌମିତ୍ର । ଚିଠି ଲେଖି ପରିବାର ଲୋକଙ୍କୁ କ୍ଷମା ମାଗିଛନ୍ତି । ଫେକ ଆକାଉଣ୍ଟ ଖୋଲି ସାଙ୍ଗ ମାନେ ସୌମିତ୍ରଙ୍କୁ ଜବରଦସ୍ତି ଟଙ୍କା ମାଗିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଘଟଣା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।

ମା’ ବାପା ମତେ କ୍ଷମା କରିଦେବ । ମୁଁ ମୋ ଜୀବନରେ କେବେବି ଭାବି ନଥିଲି ତୁମମାନଙ୍କ ସହିତ ଜାଣି ଜାଣି ଏମିତି ସବୁ କରିବି । କିନ୍ତୁ ମୋ ପରିସ୍ଥିତି ମତେ ଏସବୁ କରିବା ବାଧ୍ୟ କଲା । ମୁଁ ସତ କହୁଛି, ମୁଁ ଯେତେ ତା ଭିତରୁ ବାହାରିବାକୁ ଚେଷ୍ଟା କଲି, ତା’ ଭିତରେ ସେତେ ଫସିଗଲି । ମୁଁ ଖାଲି ଭଗବାନଙ୍କ ପାଖରେ ଏତିକି ଗୁହାରି କୁରୁଛି, ମୁଁ ଚାଲିଗଲା ପରେ ତମକୁ ଟିକେ ଖୁସିରେ ରଖନ୍ତୁ । ଯେଉଁ ଖୁସି ମୁଁ ମୋ ଜୀବନ କାଳ ଭିତରେ ଦେଇ ପାରିଲିନି । ଦୟାକରି ମତେ କ୍ଷମା କରିଦିଅ । ଇତି ତମର କୁପୁତ୍ର ଚିକୁ

ଏହା ଥିଲା ଆତ୍ମହତ୍ୟା ପୂର୍ବରୁ ସୌମିତ୍ର ନନ୍ଦୀଙ୍କ ଶେଷ ଚିଠି । କୁସଙ୍ଗରେ ପଡି ଟ୍ରେଡିଂ ଓ ଗେମିଙ୍ଗରେ ୫୦ ଲକ୍ଷରୁ ଅଧିକ ଟଙ୍କା ହରାଇବା ପରେ ଶେଷରେ ଜୀବନ ହାରିଛନ୍ତି । ବଲେଶ୍ୱର ଜିଲ୍ଲା ଜଳେଶ୍ୱର ଆମ୍ବଳିଅଠା ଗାଁର ସୌମିତ୍ର ନନ୍ଦୀ । ବେଙ୍ଗାଳୁରୁ ଇନଫୋସିସରେ ଚାକିରି କରୁଥିଲେ । ହେଲେ କିଛି ସାଙ୍ଗ ତାଙ୍କ ID ବ୍ୟବହାର କରି ଟ୍ରେଡିଂ ଓ ଗେମିଙ୍ଗରେ ଟଙ୍କା ଲଗାଇଥିଲେ । କ୍ଷତି ହେଲେ ଟଙ୍କା ଦେବାକୁ ବାଧ୍ୟ କରୁଥିଲେ । ଜଳେଶ୍ୱର ଥାନାରେ ମାମଲା ପହଞ୍ଚିବା ପରେ ଜମି ବିକ୍ରି କରି ୧୨ ଲକ୍ଷ ଟଙ୍କା ଦେଇଛନ୍ତି ବାପା ।

ବାରମ୍ବାର ଟଙ୍କା ମାଗି ବ୍ଲାକମେଲ କରିବା ପରେ ଶେଷରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ପୁଅକୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ, ହେଲେ ଏବେ ତାର ମୃତ୍ୟୁ ପରେ ପରିବାର ପୁରା ଭାଙ୍ଗି ପଡିଛି । କାନ୍ଦ ବୋବାଳିରେ ଘର ଫାଟି ପଡୁଛି । ତୁରନ୍ତ ଘଟଣାରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସମ୍ପର୍କୀୟ ।  କୁସଙ୍ଗରେ ପଡି ଅକାଳରେ ଯାଇଛି ପୁଅର ଜୀବନ । ମୃତ୍ୟୁ ପାଇଁ ସାଙ୍ଗଙ୍କୁ ଦାୟୀ କରିଛନ୍ତି ପରିବାର ଲୋକେ

ଏଥିସହିତ ପଢ଼ନ୍ତୁ: ୨୪ ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ନେଇପାରେ ବାତ୍ୟା ରୂପ