ଓଡ଼ିଆ ହେବ ବ୍ରାଣ୍ଡ୍, ବିଶ୍ବରେ ଆହୁରି ଚମକିବ ଓଡିଆ ଅସ୍ମିତା

1 min read

ଭୁବନେଶ୍ୱର :  ବିଶ୍ବରେ ଆହୁରି ଚମକିବ ଓଡିଆ ଅସ୍ମିତା । ସମୃଦ୍ଧ ହେବ ଓଡିଆ ଭାଷା  । ଆହୁରି ଲୋକପ୍ରିୟ ହେବ ଦେଶର ପଞ୍ଚମ ଶାସ୍ତ୍ରୀୟ ଭାଷା । ରାଜ୍ୟ ସରକାରଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା । ଭାଷା ଭିତ୍ତିକ ରାଜ୍ୟରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆୟୋଜନ ହେବାକୁ ଯାଉଛି ବିଶ୍ଵ ଓଡିଆ ଭାଷା ସମ୍ମିଳନୀ  । ପୂରା ବିଶ୍ଵରେ ଓଡ଼ିଆ ଭାଷାକୁ ବ୍ରାଣ୍ଡିଂ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅଭିଯାନ  । ଏହାଦ୍ବାରା ରାଜ୍ୟ, ଦେଶ ଓ ବିଦେଶରେ ଓଡିଆ ଭାଷାର ପ୍ରଚାର ଓ ପ୍ରସାର ହେବା ସହ ଗବେଷଣା କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହେବ  । ଯାହା ଓଡ଼ିଶା ଭାଷା ଓ ସଂସ୍କୃତିର ବିକାଶ ଦିଗରେ ବେଶ ସହାୟକ ହେବ  । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଛି  । ମାତୃଭାଷାର ଉନ୍ନତି ସହ ଯୁବପୀଢିଙ୍କ ମଧ୍ୟରେ ଓଡିଆ ଭାଷାର ଆଦର ବୃଦ୍ଧି କରିବା ଓ ନିଜ ଭାଷା ସଂସ୍କୃତି ଆଗକୁ ନେବାରେ ଏହି ସମ୍ମିଳନୀ ବେଶ ଉପାଦୟ ହେବ  ।

ଓଡିଆ ଭାଷା ସମ୍ମିଳନୀ ନେଇ ଖୁବ୍ ଶୀଘ୍ର ସଚିବସ୍ତରୀୟ ବୈଠକ ବସି ଏନେଇ ଆଲୋଚନା ହେବା ସହ ସ୍ଥାନ ଓ ତାରିଖ ଧାର୍ଯ୍ୟ ହେବ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତିସମ୍ପନ୍ନ ଭାଷା ବିଜ୍ଞାନୀ ଓ ଭାଷା ବିଶେଷଜ୍ଞମାନଙ୍କୁ ସମ୍ମିଳନୀର ବିଷୟ ଭିତ୍ତିକ ଅଧିବେଶନରେ ବକ୍ତବ୍ୟ ରଖିବା ପାଇଁ ନିମନ୍ତ୍ରଣ କରାଯିବ। ସମଗ୍ର ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଏଥିରେ ବ୍ୟାପକ ଭାବେ ସାମିଲ କରାଯିବ। ଯାହା ସାରା ବିଶ୍ୱରେ ଓଡିଆ ଭାଷାର ବ୍ରlଣ୍ଡିଂ କରିବ l ଖାସ୍ ଏଥିପାଇଁ ଭାଷା ପ୍ରେମୀ ଓ ସାହିତ୍ୟିକ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଛନ୍ତି l