ବିଶ୍ୱ ବଜାରରେ ମିଳିବ ଖାଣ୍ଟି ଦେଶୀ ଓଡ଼ିଆ ଜିନିଷ, କନ୍ଧମାଳ ହଳଦୀଠୁ ନେଇ ଜଙ୍ଗଲୀ ମହୁ କେବଳ ଗୋଟିଏ କ୍ଲିକରେ
ଭୁବନେଶ୍ୱର : ଓଡିଶା ଝୁଣାର ବାସ୍ନାରେ ମହକିବ ଅନ୍ତର୍ଜାତୀୟ ବଜାର । ଅନଲାଇନ ବିପିଣନ ମାଧ୍ୟମରେ ଘରେ ଘରେ ପହଞ୍ଚିବ ଦେଶୀ ଖାଣ୍ଟି ମହୁ । ହାତ ପାହାନ୍ତାରେ ମିଳିବ କେନ୍ଦୁଝର ଫୁଲ ବଡି ଓ କନ୍ଧମାଳ ହଳଦୀ । ଏଣିକି ମାତ୍ର ଗୋଟିଏ କ୍ଲିକରେ ଘରେ ପହଞ୍ଚିବ ଢିଙ୍କି କୁଟା ଚାଉଳ ।କରୋନା ମାଡରେ ହତାଶ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆରମ୍ଭ ହୋଇଛି ନିଆରା ପ୍ରୟାସ । ରାଜ୍ୟର ଜଣେ ଉଦୀୟମାନ ଉଦ୍ୟୋଗୀଙ୍କ ଇ କମର୍ସ ସଂସ୍ଥା ‘ଠୁମରୀ ଡଟ୍ କମ୍’ ଓ ରାଜ୍ୟ ସରକାରଙ୍କ ଓରମାସ ମଧ୍ୟରେ ଏନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଓଡିଶାର କୃଷି ଜାତ ଦ୍ରବ୍ୟକୁ ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଇବା ପାଇଁ ଅଣ୍ଟା ଭିଡିଛନ୍ତି ଯ଼ୁବ ଉଦ୍ୟୋଗପତି ରାକେଶ ପରିଡା । ଠୁମରୀ ଡଟ୍ କମକୁ ସହଯୋଗ କରିବା ପାଇଁ ଆଗେଇ ଆସିଛି ଓରମାସ୍ ।
ଓଡିଶାର ବିଭିନ୍ନ ଜିଲ୍ଲାର କୃଷି ଜାତ ଦ୍ରବ୍ୟକୁ ହୋଟିଏ ପ୍ଲାଟଫର୍ମରେ ବିକ୍ରି କରିବାକୁ ଯୋଜନା କରିଛି ଠୁମରି ଡଟ୍ କମ୍ । କନ୍ଧମାଳର ହଳଦୀ ସାଙ୍ଗକୁ କେନ୍ଦୁଝର ଫୁଲ ବଡି , ଢିଙ୍କି କୁଟା ଚାଉଳ ସହ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀକୁ ମାତ୍ର ଗୋଟିଏ କ୍ଲିକରେ ପାଇ ପାରିବେ ଗ୍ରାହକ । ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ରାକେଶ । କୃଷିଜାତ ସାମଗ୍ରୀର ବିକ୍ରି ବଢିଲେ ଚାଷୀ ନିଜ ପ୍ରାପ୍ୟ ପାଇପାରିବ ବୋଲି କହିଛନ୍ତି ରାକେଶ । କରୋନା ମାଡରେ ଚାଷୀ ହତାଶ ହୋଇଛି । ଦୋହଲିଯାଇଛି ଜୀବନ ଜୀବିକା । ଠୁମରୀ ଡଟ କମର ଏହି ପ୍ରୟାସ ଚାଷୀଙ୍କୁ ସ୍ବାବଲମ୍ବୀ କରାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।