ରଜ ବଜାରରେ ରିଲିଜ ହେଲା ଓଡ଼ିଆ ସିନେମା ‘ପାବାର’

ଭୁବନେଶ୍ବର: ଆସନ୍ତାପାଲି ରଜ ଓ ଆଜି ସଜବାଜ । ରଜ ବଜାରରେ ରିଲିଜ ହୋଇଛି ଓଡ଼ିଆ ସିନେମା ‘ପାବାର’ । ଭୁବନେଶ୍ୱର ସ୍ୱାତୀ ଓ ମହାରାଜା ସିନେମା ହଲ୍‌ରେ ବାବୁସାନ ଫିଲ୍ମ ପ୍ରଡକ୍ସନର ‘ପାବାର’ ସିନେମାର ପ୍ରିମିୟର ଶୋ ଅନୁଷ୍ଠିତ ହୋଇଯାଇଛି । ରଜ ଉପଲ୍ଲକ୍ଷେ ରିଲିଜ୍ ହୋଇଥିବା ଏହି ସିନେମା ରାଜ୍ୟର ୫୦ଟି ସିନେମା ହଲ୍‌ରେ ଆଜି ମୁକ୍ତିଲାଭ କରିଛି ।

ବାବୁସାନଙ୍କ ଫିଲ୍ମ ପାଇଁ ଦର୍ଶକଙ୍କ ଉତ୍କଣ୍ଠା ଦେଖିବାକୁ ମିଳିଛି । ୮ ବର୍ଷ ପରେ ଦର୍ଶକ ଦେଖିଲେ ବାବୁସାନ ଓ ଏଲିନାଙ୍କ ଯୋଡ଼ିକୁ । ତୃପ୍ତି ଶତପଥୀଙ୍କ ପ୍ରଯୋଜିତ ଓ ଅଶୋକ ପତିଙ୍କ ନିର୍ଦ୍ଦେଶିତ ପାବାରର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ଓଲିଉଡ୍ ସୁପର୍‌ଷ୍ଟାର୍ ବାବୁସାନ ଓ ପ୍ରତିଭାମୟୀ ଅଭିନେତ୍ରୀ ଏଲିନା । ଅନ୍ୟାନ୍ୟ ପ୍ରମୁଖ ଚରିତ୍ରରେ ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି, ଜୟପ୍ରକାଶ ଦାଶ, କ୍ରିଷ୍ଣା କର, ସୋମୁ, ବବି ମିଶ୍ର, ପପୁ ପମ୍‌ପମ୍‌, ରବି ମିଶ୍ର, ଅନୁଗୁଳିଆ ବଣ୍ଟି, ଭକ୍ତି ଓ ବାପିଙ୍କୁ ଦେଖିବାକୁ ମିଳିଛି । ମୌଳିକ କାହାଣୀକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ର ରଜ ବଜାରରେ ଦର୍ଶକ ବେଶ ପସନ୍ଦ କରିବେ ବୋଲି କହିଛନ୍ତି ଷ୍ଟାରକାଷ୍ଟ ।

ଏକ ସତ୍ୟ ଘଟଣାକୁ ନେଇ ତିଆରି ହୋଇଛି ଫିଲ୍ମ ‘ପାବାର’ । ଏହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ । ପଲିଟିକାଲ ଡ୍ରାମା ସାଙ୍ଗକୁ ଫିଲ୍ମରେ ରହିଛି ଭରପୂର କମେଡ଼ି । ପ୍ରିମିୟରରେ ଚଳଚ୍ଚିତ୍ରର କଳାକାର ଓ ଟେକ୍ନିସିଆନଙ୍କ ସମେତ ଇଣ୍ଡଷ୍ଟ୍ରିର ବହୁ ଜଣାଶୁଣା ବ୍ୟକ୍ତି ଏହାକୁ ଦେଖିଥିଲେ ।