୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ଓଡ଼ିଆ ଫିଲ୍ମ ନନ୍ଦ ମାଷ୍ଟରଙ୍କ ଚାଟଶାଳୀ

ନନ୍ଦିଘୋଷ ବ୍ୟୁରୋ: ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ । ପ୍ରଣବ କୁମାରଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ଚଳଚ୍ଚିତ୍ର ନନ୍ଦ ମାଷ୍ଟରଙ୍କ ଚାଟଶାଳୀ। ଏହା ଏକ ଡକ୍ୟୁମେଣ୍ଟ୍ରି ଓଡ଼ିଆ ସିନେମା ହୋଇଥିବା ବେଳେ ଓଡ଼ିଶାର ଶତାୟୁ ଶିକ୍ଷକ ନନ୍ଦ ମାଷ୍ଟରଙ୍କ ଜୀବନ କାହାଣୀ ଉପରେ ପର୍ଯ୍ୟବେଶିତ । ବରିଷ୍ଠ ସାମ୍ବାଦିକ ତଥା ଶିକ୍ଷାବିତ୍ ଅଭୟ ପତିଙ୍କ ପ୍ରଯୋଜିତ ଏହି ଫିଲ୍ମ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ କାନ୍ ଫିଲ୍ମ ଫେଷ୍ଟିଭାଲ୍‌ରେ ସ୍ଥାନିତ ହୋଇଛି । ଭାରତ ପର୍ବର ଉଦ୍‌ଯାପନୀ ସମାରୋହରେ  ଚଳଚ୍ଚିତ୍ରର ପୋଷ୍ଟର ଓ ଟ୍ରେଲ୍‌ର ରିଲିଜ୍ ପାଇଁ ଫିଲ୍ମର ଟିମ୍‌କୁ ନିମନ୍ତ୍ରଣ ମିଳିଥିବା ବେଳେ ଏନ୍‌ଏଫ୍‌ଡିସି ଓ ଫିକି ଦ୍ୱାରା ପରିଚାଳିତ ଇଣ୍ଡିଆ ପାଭିଲିଅନ୍‌ର ଉଦ୍‌ଯାପନୀ ସମାରୋହରେ ଚଳଚ୍ଚିତ୍ରର ପୋଷ୍ଟର୍ ଓ ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲର୍‌ଟି ମାର୍ଚ୍ଚ ୨୨ ସନ୍ଧ୍ୟା ୪ଟା୧୫ ସମୟରେ ପ୍ରଦର୍ଶିତ ହୋଇଯାଇଛି । ତେବେ କାନ୍ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହୋଇ ବେଶ ପ୍ରଶଂସା  ସାଉଁଟିଥିବା  ବେଳେ ଶିକ୍ଷା ପାଇଁ ସମର୍ପଣ  ଥିବା ଜଣେ ଶତାୟୁ ଶିକ୍ଷକଙ୍କ କାହାଣୀ ଦେଖିଛି ପୁରା ବିଶ୍ୱ । ଆଉ ସିନେମାର ଏହି ସଫଳତାକୁ ନେଇ ଚଳଚ୍ଚିତ୍ରର ପୁରା ଟିମ ଭୁବନେଶ୍ୱରରେ ଫିଲ୍ମର ସଫଳ ଯାତ୍ରା ବିଷୟରେ ଜଣାଇଛନ୍ତି । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ ଅନ୍ତର୍ଗତ କନ୍ତିରା ଗ୍ରାମର ଶତାୟୁ ଶିକ୍ଷକ ନନ୍ଦ କିଶୋର ପୃଷ୍ଟିଙ୍କ କାହାଣୀକୁ ନେଇ ନିର୍ମାଣ ହୋଇଛି ନନ୍ଦ ମାଷ୍ଟରଙ୍କ ଚାଟଶାଳି । ନନ୍ଦ ପୃଷ୍ଟିଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ଅଭିନେତା ସାଇଶ୍ରେଷ୍ଠ ଦାସ ଓ ଅଙ୍ଗସା ଚରିତ୍ରରେ ଅଭିନୟ କରିଛନ୍ତି ଅଭିନେତ୍ରୀ ଶିବାଙ୍ଗୀ । ୧୦୩ ବର୍ଷ ବୟସ୍କ ନନ୍ଦ ପୃଷ୍ଟି ପଦ୍ମଶ୍ରୀ ପୁରସ୍କାର ଗ୍ରହଣ ସମୟରେ ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ କରି ଚର୍ଚ୍ଚାକୁ ଆସିଥିଲେ । ଅନ୍ୟପଟେ ଚଳଚ୍ଚିତ୍ରଟି ବିଭିନ୍ନ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଭ୍ରମଣ ପରେ ୨୦୨୪ ଶେଷ ସୁଦ୍ଧା ମୁକ୍ତିଲାଭ କରିବାର ପ୍ରୟାସ ରହିଛି ବୋଲି କହିଛନ୍ତି ପ୍ରଯୋଜନା ସଂସ୍ଥା ।