ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଧାକର ବସନ୍ତ ସଡ଼କ ଦୁର୍ଘଟଣାରେ ଗୁରୁତର

କଟକ : ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଧାକର ବସନ୍ତଙ୍କ ଗାଡ଼ି ଦୁର୍ଘଟଣାଗସ୍ତ ।  ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ମଙ୍ଗୁଳି ନିକଟରେ ଦୁର୍ଘଟଣାର ଶିକାର ହୋଇଛନ୍ତି ସୁଧାକର । ଏଥିରେ ସୁଧାକର ବସନ୍ତ ଓ ତାଙ୍କ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି । ସୁଧାକରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । କଟକ ବଡ଼ ଡ଼ାକ୍ତରଖାନାର ଆଶୁଚିକିତ୍ସା ବିଭାଗରେ ତାଙ୍କର ଚିକିତ୍ସା ଚାଲିଛି । ବିଳମ୍ବିତ ରାତିରେ ସୁଧାକର ବସନ୍ତ ଚଣ୍ଡିଖୋଲ ପଟୁ ଫେରୁଥିବା ବେଳେ ମଙ୍ଗୁଳି ଛକ ନିକଟରେ ଟ୍ରକ ପଛ ପଟୁ ଧକ୍କା ଦେଇଥିଲା ତାଙ୍କ କାର । ସୂଚନା ଅନୁସାରେ ଚଣ୍ଡିଖୋଲ ଆଡୁ କଟକ ଆସୁଥିବାବେଳେ କଟକ ମଙ୍ଗୁଳି ସ୍ଥିତ ବଜରଙ୍ଗୀ ଓ୍ୱେ ବ୍ରିଜ୍‌ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ସୁଧାରକର ବସନ୍ତଙ୍କ ଗାଡି। କାରରେ ଥିବା ତାଙ୍କ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି ।

ଦୁଇ ଜଣଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଭୋର ୩ଟାରୁ ୪ଟା ମଧ୍ୟରେ ସୁଧାକର ବସନ୍ତଙ୍କ ଗାଡି ଦୁର୍ଘଟଣାଗସ୍ତ ହୋଇଥିବା ଜଣାପଡ଼ିଛି । ମଙ୍ଗୁଳି ଛକ ରାସ୍ତା କଡରେ ଛିଡ଼ା ହୋଇଥିବା ଏକ ସିମେଣ୍ଟ ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ସୁଧାକରଙ୍କ କାର । ଦୁର୍ଘଟଣାରେ ସୁଧାକରଙ୍କ କାର୍ ଭାଙ୍ଗି ଚୁରମାର ହୋଇଯାଇଛି । ଚୌଦ୍ଵାର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସୁଧାକର ଓ ତାଙ୍କ ଡ଼୍ରାଇଭରଙ୍କୁ କାରକୁ କାଟି ଉଦ୍ଧାର କରିଥିଲେ । ତୁରନ୍ତ ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି ।