ଲୋକସେବା ଭବନରେ ପ୍ରଦର୍ଶନ ହେବ ଦମନ, ଦେଖିବେ ଅଫିସର

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଦମନକୁ ରାଜ୍ୟ ସରକାର ଟିକସମୁକ୍ତ କରିବା ପରେ ଆସନ୍ତାକାଲି ଲୋକସେବା ଭବନରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ହେବ । କେବଳ ଯୁଗ୍ମ ସଚିବ ପାହ୍ୟାରୁ ଊର୍ଦ୍ଧ୍ୱ ଅଫିସରମାନେ ଏହି ଚଳଚ୍ଚିତ୍ରକୁ ଦେଖିବେ । ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଅବଗତ କରାଯାଇଛି । ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ ଏନେଇ ସବୁ ବିଭାଗକୁ ଜଣାଇଛନ୍ତି ଯେ, ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ବିଚ୍ଛିନ୍ନାଂଚଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଘନ ଅନ୍ଧାର ଭିତରେ ଆଶାର ଏକ ଆଲୋକ ସଂଚାର କରିଛି ।

ସିନେମାଟି ବାସ୍ତବଧର୍ମୀ କାହାଣୀ ଉପରେ ଆଧାରିତ । ଏହାର କଥାବସ୍ତୁ, ପ୍ରତିଟି ଚରିତ୍ରର ଅଭିନୟ, ସମ୍ପାଦନା ସବୁଦିଗରୁ ଅତି ସୁନ୍ଦର ହୋଇଛି । ଏହି ଚଳଚ୍ଚିତ୍ର ରାଜ୍ୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଜନସେବା କ୍ଷେତ୍ରରେ ଏକ ପ୍ରେରଣା ପ୍ରଦାନ କରୁଛି । ଏଥିପାଇଁ ଆସନ୍ତାକାଲି ରବିବାର ସନ୍ଧ୍ୟା ୫ଟାରୁ ଲୋକସେବା ଭବନରେ ପ୍ରଦର୍ଶନ କରାଯିବାକୁ ନିଷ୍ପତ୍ତି ହୋଇଛି ।

ସୂଚନାଯୋଗ୍ୟ, ‘ଦମନ’ ଫିଲ୍ମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨ଦିନ ତଳେ ଟିକସମୁକ୍ତ କରିଥିବାବେଳେ ନଭେମ୍ବର ୨୧ରୁ ୨୦୨୩ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଏହି ଫିଲ୍ମକୁ ରାଜ୍ୟ ସରକାର ଟିକସ ଟିକସମୁକ୍ତ କରିଛନ୍ତି ତଥା ଏ ସଂକ୍ରାନ୍ତ ପ୍ରସ୍ତାବ ଖୁବଶୀଘ୍ର ରାଜ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରିବ ବୋଲି ଜଣାପଡ଼ିଛି ।