କରୋନା ଆକ୍ରାନ୍ତଙ୍କ ମଧ୍ୟରେ କେମିତି କଟୁଥିଲା ଦିନ, କହିଲେ ଓଡ଼ିଆ ପୁଅ ଶିବାଶିଷ…

ବ୍ରହ୍ମପୁର: ଜାହାଜ ଭିତରେ ସେଦିନର କଥା ମନେ ପଡିଲେ ଲୋମ ଟାଙ୍କୁରି ଉଠେ… । ୨୦ ଦିନ ୫୦୦ ଯାତ୍ରୀଙ୍କ ମଧ୍ୟରେ ମୁଁ… ।

ଚାରିଆଡେ କରୋନାର ଭୟ… । କାହାକୁ ଛୁଇଁଲେ କି କାହା ପାଖରେ ବସିଲେ ଡେଇଁ ପଡିବ ଏହି କରୋନା ଭାଇରସ… ।

ଏହି  ଅଜଣା ଏକ ଭୟରେ ଘାଣ୍ଟି ଚକଟି ହେଉଥିଲା ମନ । ଏଭଳି କହିଛନ୍ତି ଓଡିଆ ପୁଅ ଶିବାଶିଷ… ।

ଓଡ଼ିଆ ଇଂଜିନିୟର ଶିବାଶିଷ ନାୟକ ଘରକୁ ଫେରିଛନ୍ତି । ଡାଇମଣ୍ଡ ପ୍ରିନ୍ସ ଜାହାଜରେ ତାଙ୍କ ଦିନ ବହୁତ କଷ୍ଟରେ କଟିଥିଲା । ସେ ଅପେକ୍ଷାରେ ଥିଲେ ଯେ, କେବେ ତାଙ୍କ ରିପୋର୍ଟ ନେଗେଟିବ୍ ଆସିବ ଓ ସେ ଘରକୁ ଫେରିବେ । ୫୦୦ ଯାତ୍ରୀ ଆକ୍ରାନ୍ତ ଥିବାରୁ ସେ ମଧ୍ୟ ଭୟବିତ ଥିଲେ । ୧୪ ଦିନ ଧରି ମାନେସାରର କ୍ୱାରାଣ୍ଟାଇନ ସେଣ୍ଟରରେ ରହିବା ପରେ ତାଙ୍କୁ କ୍ଲିନଚିଟ ମିଳିଥିଲା । ତେବେ ତାଙ୍କ ସ୍ୱାବ ରିପୋର୍ଟ ନେଗେଟିଭ ଆସିଥିଲା । ଫେବ୍ରୁଆରି ୨୭  ଏବଂ ମାର୍ଚ୍ଚ ୧୧ ତାରିଖରେ ପରୀକ୍ଷା କରାଯାଇଥିବା ନମୂନାରେ ନେଗେଟିଭ ରିପୋର୍ଟ ଆସିବା ପରେ, ଗତକାଲି ରାତିରେ ସେ ବ୍ରହ୍ମପୁର ଫେରିଛନ୍ତି ।

ଜାପାନ ୟୋକୋହାମା ଜଳପଥରେ ଡାଇମଣ୍ଡ ପ୍ରିନ୍ସ ଜାହାଜରେ ଫସି ରହିଥିଲେ ଓଡିଆ ପୁଅ ଶିବାଶିଷ । ଜାହାଜରେ ପ୍ରାୟ ୩୭୦୦ ଶହ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରେ ୧୪୨ ଜଣ ଭାରତୀୟ ଥିଲେ । ସେହି ମଧ୍ୟରୁ ୫ଶହ ଯାତ୍ରୀ କରୋନାରେ ଆକ୍ରାନ୍ତ ଥିବାରୁ ସମସ୍ତଙ୍କୁ ଜାହାଜରେ ହିଁ ଅଟକ ରଖାଯାଇଥିଲା । ପରେ ଭାରତ ସରକାରଙ୍କ ପକ୍ଷରୁ ଏୟାରଲିପ୍ଟ କରାଯାଇ ଜାହାଜରେ ଫସିଥିବା ଭାରତୀୟ ମାନଙ୍କୁ ଉଦ୍ଧାର କରାଯାଇଥିଲା ।

ଅନ୍ୟପଟେ ଆରମ୍ଭରୁ ଏୟାରଲିପ୍ଟ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଖବର ପ୍ରସାରଣ କରି ଶିବାଶିଷଙ୍କ ପରିବାର ସହ ଛିଡ଼ା ହୋଇଥିଲା ନନ୍ଦିଘୋଷ ଟିଭି । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଥିଲେ । ପରେ ଭାରତ ସରକାରଙ୍କ ତରଫରୁ ଶିବାଶିଷଙ୍କୁ ଉଦ୍ଧାର କରାଯାଇଥିଲା । ଅନ୍ୟପଟେ ମୁକୁଳିବା ପରେ ଶିବାଶିଷ କହିଛନ୍ତି ଜାହାଜରେ ବିତିଥିବା ଦିନ ଗୁଡିକ ଅତ୍ୟନ୍ତ କଷ୍ଟଦାୟକ ଥିଲା । ଫଳ ଏବଂ ନୁଡୁଲ୍ସ ଖାଇବାକୁ ଦିଆଯାଉଥିବା ବେଳେ, ସାରାଦିନରେ ମାତ୍ର ୧୦ରୁ ୨୦ ମିନିଟ ବାହାରକୁ ଛଡାଯାଉଥିଲା ବୋଲି ଶିବାଶିଷ କହିଛନ୍ତି ।

Leave a Reply