ଦୁବାଇରୁ ଫେରିଲେ ଓଡ଼ିଆ ପ୍ରତିନିଧିମଣ୍ଡଳୀ, ଦୁବାଇରେ ଭୁବନେଶ୍ବରର ନାଁ କଲା ଗୌରବାନ୍ବିତ

ଭୁବନେଶ୍ୱର: ଦୁବାଇରେ ଓଡ଼ିଶା ଦିବସ ପାଳନ କରି ଫେରିଲେ ଓଡ଼ିଆ ପ୍ରତିନିଧିମଣ୍ଡଳୀ । ସିଧାସଳଖ ଦୁବାଇ ଯାଇ ଫେରିଥିବାରୁ ସମସ୍ତେ ଖୁସି ପ୍ରକାଶ କରିଛନ୍ତି । ଏଥିପାଇଁ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ଦିବସ ପାଳନର ଖୁସିକୁ ଗଣମାଧ୍ୟମ ଆଗରେ ବ୍ୟକ୍ତ କରିଛନ୍ତି । ଦୁବାଇରେ ଭୁବନେଶ୍ବରର ନାଁ ଲେଖାହେବା ସମସ୍ତଙ୍କୁ ଗୌରବାନ୍ବିତ କରିଛି । ଓଡ଼ିଶା ଉତ୍ସବ ସମସ୍ତଙ୍କୁ ଖୁସି ଅନୁଭବ ଦେଇଛି । ଘଣ୍ଟାଘଣ୍ଟା ଅପେକ୍ଷା କରିବା ବଦଳରେ ୪ ଘଣ୍ଟାରେ ଦୁବାଇକୁ ଯିବାର ସ୍ବପ୍ନ ସତ ହୋଇଛି । ଏହା ମାଧ୍ୟମରେ ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ଉଦ୍ୟମ କରାଯାଉଛି । ନିବେଶକଙ୍କ ସହିତ ମଧ୍ୟ ଆଲୋଚନା ହୋଇଛି । ଓଡ଼ିଶା ଦିବସ ଉତ୍ସବରେ ପାଖାପାଖି ୧୩ ଶହରୁ ଅଧିକ ଲୋକ ଯୋଗଦେଇଥିଲେ । ଏଥିପାଇଁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସେପଟେ ତିନି ଦିନିଆ ଯାତ୍ରା ସାରି ଦୁବାଇରୁ ଫେରି ନିଜର ଅନୁଭୂତି ବଖାଣିଛନ୍ତି ମିଶନ ଶକ୍ତି ସଦସ୍ୟା । ଦୁବାଇ ବୁଲିବା ସହ ବିଶ୍ବସ୍ତରୀୟ ଅନୁଭୂତି ମିଳିଛି । ଦୁବାଇ ଗସ୍ତରେ ସେମାନଙ୍କ ପାଇଁ ସବୁକିଛି ସରପ୍ରାଇଜ ଥିଲା । ନିଜ ହାତ ତିଆରି ସାମଗ୍ରୀର ବ୍ରାଣ୍ଡିଂ ନେଇ ଶିଖିଛନ୍ତି ନୂଆ ନୂଆ ଉପାୟ । ଦୁବାଇ ଛାଡିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏସଏଚଜି ମହିଳା ଓ ସେମାନଙ୍କ ପରିବାର ପାଇଁ ସ୍ବତନ୍ତ୍ର ଉପହାର କିଣି ଦେଇଛନ୍ତି । ଉପହାର ସ୍ବରୂପ ଚକୋଲେଟ୍ ଓ ଖଜୁରୀ କୋଳି ଦିଆଯାଇଛି । ଗାଁ ପରିବେଶରେ ସମୟ କାଟୁଥିବା ମହିଳାଙ୍କୁ ଆଣି ବିଦେଶ ବୁଲାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କ୍ରୀଡ଼ାବିତ ଓ ଛାତ୍ରଛାତ୍ରୀମାନେ ମଧ୍ୟ ବେଶ୍ ଖୁସି ପ୍ରକାଶ କରିଛନ୍ତି । ଦେଖିନଥିବା ସ୍ବପ୍ନକୁ ସତ କରିଛନ୍ତି ମୁଖ୍ୟମନ୍ତ୍ରୀ । କେବେ ବିମାନରେ ବସିନଥିବା ଲୋକଙ୍କୁ ଦୁବାଇକୁ ନେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତେ କୃତଜ୍ଞତା ଜଣାଇଛନ୍ତି । ଗତ ୧୫ ତାରିଖରେ ଭୁବନେଶ୍ବରରୁ ଦୁବାଇକୁ ଆରମ୍ଭ ହୋଇଥିଲା ସିଧାସଳଖ ବିମାନ ସେବା । ପ୍ରଥମ ଦିନରେ ରାଜ୍ୟ ସରକାରଙ୍କ ଟିମ୍ ସହିତ ଛାତ୍ରଛାତ୍ରୀ, ଏସଏଚଜି ମହିଳା, କ୍ରୀଡାବିତଙ୍କୁ ମିଶାଇ ୧୭୦ ଜଣ ଦୁବାଇ ଗସ୍ତ କରିଥିଲେ । ଗତକାଲି ସେଠାରେ ମହାସମାରୋହରେ ଓଡ଼ିଶା ଦିବସ ପାଳନ କରାଯାଇଥିଲା ।