ବଲିଉଡରେ ଚମକିଲେ ୧୩ ବର୍ଷର ଓଡ଼ିଆ ପୁଅ ପ୍ରଜ୍ଜଳ
ଭୁବନେଶ୍ବର : ବଲିଉଡରେ ୧୩ ବର୍ଷର ଓଡ଼ିଆ ପୁଅ ପ୍ରଜ୍ଜଳ ସାହୁ । ୧୭ ମାର୍ଚ୍ଚ ୨୦୨୩ ଅର୍ଥାତ୍ ଆସନ୍ତାକାଲି ରିଲିଜ୍ ହେବାକୁ ଯାଉଛି କପିଲ ଶର୍ମାଙ୍କ ଅଭିନୀତ ଫିଲ୍ମ ’ଜ୍ୱିଗାଟୋ’ । ଯେଉଁଥିରେ ଚାକିରି ଛାଡ଼ିଥିବା ଜଣେ କର୍ମଚାରୀ କିଭଳି ଏକ ଫୁଡ୍ ଡେଲିଭରି ରାଇଡର ଭାବରେ ବଞ୍ଚିବାକୁ ସଂଘର୍ଷ କରିଛନ୍ତି ଏବଂ ରେଟିଂସ କିଭଳି ତାଙ୍କ ପାଇଁ ଖୁବ୍ ଗୁରୁତ୍ୱ ତାହା ଏହି ଚଳଚ୍ଚିତ୍ର ମାଧ୍ୟମରେ ଦେଖିବାକୁ ମିଳିବ ।
ଫିଲ୍ମର କାହାଣୀ ଜଣେ ଡେଲିଭରୀ ବୟ ଉପରେ ଆଧାରିତ । ଖରାପ ଆର୍ଥିକ ପରିସ୍ଥିତି ସହିତ କିଭଳି ଏକ ପରିବାର ଲଢ଼ୁଛି ତାହା ଉପରେ ଏହି କାହାଣୀ ପର୍ଯ୍ୟବସିତ । ତେବେ ଏଥିରେ କଟକର ୧୩ ବର୍ଷର ଓଡ଼ିଆ ପୁଅ ପ୍ରଜ୍ଜଳ ସାହୁ ବଲିଉଡରେ ଡେବ୍ୟୁ କରିଛନ୍ତି । ଯାହା ନିହାତି ଭାବରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ । ପ୍ରଜ୍ୱଳ ସାହୁ ଜଣେ ଜଣାଶୁଣା ଉଦ୍ୟୋଗପତି ଶରତ ସାହୁଙ୍କ ନାତି । ତାଙ୍କ ବାପା ଅରବିନ୍ଦ ସାହୁ ଓ ମା’ ସାଲିନୀ ସାହୁ ମଧ୍ୟ ଓଡ଼ିଶା ବ୍ୟବସାୟ ଜଗତର ଜଣାଶୁଣା ବ୍ୟକ୍ତି । କପିଲଙ୍କ ପୁଅ ଭୁମିକାରେ ନଜର ଆସିବେ ପ୍ରଜ୍ବଳ ।
ଫିଲ୍ମଟି ଭୁବନେଶ୍ବରରେ ସୁଟିଂ କରାଯାଇଛି । ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କପିଲ ଶର୍ମା ଏବଂ ଶାହାନା ଗୋସ୍ବାମୀଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ସମୀର ନାୟର , ଦୀପକ ସେଗଲ୍ ଏବଂ ନନ୍ଦିତା ଦାସଙ୍କ ପ୍ରଯୋଜିତ ଏହା ହେଉଛି ଏକ ଭିନ୍ନ ଧରଣର ଫିଲ୍ମ ।