ମେନ୍ ଇନ୍ ବ୍ଳୁରେ ଓଡ଼ିଆ ଦୃଷ୍ଟିବାଧିତ କ୍ରିକେଟର
1 min readଭୁବନେଶ୍ୱର (ଅନୁଜ ଦାସ): ଇନ୍ଦ୍ରଧନୁର ସାତ ରଙ୍ଗ ସେ ଦେଖିନି । ଦେଖିନି ନୀଳ ଆକାଶର ସୌନ୍ଦର୍ଯ୍ୟ । ରଙ୍ଗ ବୋଲି କେବଳ କଳା ହିଁ ଜାଣିଛି । ହଁ , ସେ ଦୃଷ୍ଟିବାଧିତ । ସେଥିପାଇଁତ ରଙ୍ଗ ବେରଙ୍ଗର ଏହି ଦୁନିଆ ଦେଖିବାକୁ ସେ ଅସମର୍ଥ । ବାପା ଛେଉଣ୍ଡ କାଳିଆକୁ ଆଗକୁ ବଢିବା ପାଇଁ ମା’ ହିଁ ସାହାସ ଦେଇଛି । ବ୍ରହ୍ମପୁରର ଚିକିଟି ବ୍ଲକର ଆମ୍ବ ଗାଁରେ କାଳିଆର ଘର । ଘର କହିଲେ ସରକାରୀ ଯ଼ୋଜନାରେ ମିଳିଥିବା ଖଣ୍ଡେ ଘର । ମୂଲ ଲାଗିଲେ ପରିବାର ଚଳେ । ଓଳିଏ ଖାଇ ଓଳିଏ ଓପାସ ରହୁଥିବା ଏହି ପିଲା କ’ଣ ବଡ ସ୍ୱପ୍ନ ଦେଖିପାରିବ ।
ନିସ୍ତବ୍ଧ ରାତିରେ ଶୋଇଗଲା ପରେ ନୁହଁ ବରଂ ରାତି ଦିନ ସବୁବେଳେ ସେ ଦେଖୁଥାଏ ଏକ ନିଆରା ସ୍ୱପ୍ନ । ‘କ୍ରିକେଟର ହେବି , ଭାରତ ପାଇଁ ଖେଳିବି ‘। ଗରିବ ପରିବାରରେ ଜନ୍ମ ହୋଇଥିବା ଜଣେ ପିଲା ଏତ ବଡ ସ୍ୱପ୍ନ ଦେଖିବା ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଦିନ ମଜୁରିଆ ଘରେ ରହିଲେ ବି ସେ ଦେଖିଥିଲା ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିବାର ସ୍ୱପ୍ନ । ତୁଳସୀ ଦୁଇ ପତ୍ର ରୁ ବାସିଲା ଭଳି କାଳିଆ ପିଲାବେଳୁ ହିଁ କ୍ରିକେଟ ଖେଳିବାକୁ ଆରମ୍ଭ କରିଦେଇଥିଲା ।
2009ରେ ଓଡିଶା ଦୃଷ୍ଟିହୀନ କ୍ରିକେଟ ସଂଘ ଅଧିନରେ ପ୍ରଫେସନାଲ କ୍ରିକେଟ ଖେଳିବା ଆରମ୍ଭ କଲା । ସମୟ ଗଡିଚାଲିଥାଏ କିନ୍ତୁ ଅନ୍ତର୍ଜାତୀୟ ଟୂର୍ଣ୍ଣାମେଣ୍ଟରେ ଖେଳିବାର ସୁଯ଼ୋଗ ପାଉନଥିଲେ କାଳିଆ । କିନ୍ତୁ
ହାର ମାନିନଥିଲେ , ଜାରି ରଖିଥିଲେ ଅଭ୍ୟାସ । ବିଳମ୍ବରେ ହେଉ ପଛେ ନିଷ୍ଠାର ଫଳ ପାଇଛନ୍ତି କାଳିଆ । ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି କାଳିଆ । ନେପାଳ ବିପକ୍ଷରେ ହେବାକୁ ଥିବା ଏକ ଦିବସୀୟ ଓ ଟି-୨୦ ମ୍ୟାଚରେ ନିଜର ଦକ୍ଷତା ଦେଖାଇବେ ଅଲରାଉଣ୍ଡର କାଳିଆ । ଏହା କାଳିଆଙ୍କ ଡେବ୍ୟୁ ସିରିଜ । ଦଳରେ ନିଜର ସ୍ଥାନ ବଜାୟ ରଖିବା ପାଇଁ ଏହି ସିରିଜରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଟାର୍ଗେଟ ରଖିଛି କାଳିଆ ପ୍ରଧାନ ।