ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଓଡ଼ିଆଙ୍କ ଅସ୍ମିତାର ପରିଚୟ
1 min readଭୁବନେଶ୍ବର: ଫେବ୍ରୁଆରୀ ୩ରୁ ୫ଯାଏଁ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ। ପୂରା ବିଶ୍ବରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର, ସଂରକ୍ଷଣ ସହ ସଭିଁଙ୍କ ମନରେ ଓଡ଼ିଆ ଭାଷାପ୍ରେମ ଜାଗ୍ରତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ବିଶାଳ ଭାଷା ମହାକୁମ୍ଭ ରାଜଧାନୀରେ ଆୟୋଜନ ହେବ। ସମ୍ମିଳନୀକୁ ସ୍ମରଣୀୟ କରିବା ପାଇଁ ଉଦଘାଟନ ଉତ୍ସବରେ ଓଡ଼ିଆଙ୍କୁ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିବାକୁ ଅପିଲ କରିଛନ୍ତି ରାଜ୍ୟ ସରକାର। ପ୍ରଥମଥର ପାଇଁ ପୂରା ବିଶ୍ବରେ ଓଡ଼ିଆ ଭାଷାପ୍ରେମ ଜାଗ୍ରତ କରିବାରେ ସମ୍ମିଳନୀ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଭାଷା ଅତୀତର ଅସ୍ତିତ୍ବ । ଭାଷା ହିଁ ଭବିଷ୍ୟତ। ଭାଷା ଗୋଟିଏ ଜାତିର ପରିଚୟ। ପୂରା ବିଶ୍ବରେ ଗୁଞ୍ଜରିତ ହେବ ଓଡ଼ିଆ ଅସ୍ମିତା ଓ ଗୌରବର ଗାଥା। ଦିନକ ପରେ ଭୁବନେଶ୍ବରରେ ଆରମ୍ଭ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ। ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଓଡ଼ିଆଙ୍କ ଅସ୍ମିତାର ପରିଚୟ। ସେଥିପାଇଁ ୩ତାରିଖ ଦିନ ସାଢେ ୧୧ଟାରେ ଏକକାଳୀନ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର। କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଏହି ଲୋକପ୍ରିୟ ସଂଗୀତ ଗାନ ସହ ଉଦଘାଟନ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଉଦଘାଟନଠାରୁ ଉଦଯାପନ ଯାଏଁ ୧୬ଟି ବିଶେଷ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ଅନ୍ତର୍ଜାତୀୟସ୍ତରର ଭାଷାବିତ, ଲେଖକ, ସାହିତ୍ୟିକ ଓ ଭାଷାପ୍ରେମୀ ସାମିଲ ହେବେ। ବନ୍ଦେ ଉତ୍କଳ ଜନନୀ ସଂଗୀତରେ ଓଡ଼ିଶାର ଶ୍ରେଷ୍ଠତ୍ବ ପ୍ରତିପାଦନ କରାଯାଇଛି। ଏଥିରେ କଳା, ସଂସ୍କୃତି, ଐତିହ୍ଯ, ଭାସ୍କର୍ଯ୍ଯ, ପ୍ରାକୃତିକ ସୌନ୍ଦର୍ଯ୍ୟର ବର୍ଣ୍ଣନା କରାଯାଇଛି। ତେଣୁ ପୂରା ବିଶ୍ବରେ ଥିବା ଓଡ଼ିଆମାନେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିବାକୁ ଅନୁରୋଧ କରାଯାଇଛି।
ଭବିଷ୍ୟତ ପିଢିଙ୍କ ପାଖରେ ଓଡ଼ିଆ ଭାଷାର ଆଦର ବଢାଇବା ସହ ଆଧୁନିକ ଜ୍ଞାନକେୌଶଳ ଜରିଆରେ ଭାଷାକୁ ଆଗକୁ ବଢାଇବା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଲକ୍ଷ୍ଯ। ସମ୍ମିଳନୀକୁ ନେଇ ପୁରପଲ୍ଲୀରୁ ବିଦେଶରେ ବାସ କରୁଥିବା ପ୍ରବାସୀ ଓଡ଼ିଆ ବେଶ ଉତ୍ସାହିତ। ପ୍ରଥମ ବିଶ୍ବଭାଷା ସମ୍ମିଳନୀ ପାଇଁ ଭୁବନେଶ୍ଵରର ବିଭିନ୍ନ ସରକାରୀ ବିଦ୍ୟାଳୟ ଗୁଡିକରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଛି l ଭାଷାର ପ୍ରାଚୀନତା, ମୌଳିକତା ଓ ଅସ୍ମିତାକୁ ନେଇ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଉଛି l ବିଭିନ୍ନ ସ୍କୁଲର ସାହିତ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହାର ବିଚାରକ ହେବେ l କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ। ଏଥିସହ ଭାଷା ଭିତ୍ତିକ କାର୍ଯ୍ୟକ୍ରମ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ଯ ଅନୁଷ୍ଠିତ ହେବ l ଏହାସହ ଆଜିଠୁ ବିଏମସି ଅଞ୍ଚଳରେ ବୁଲିବ ଶିକ୍ଷା ରଥ। ଡ୍ରପ ଆଉଟ ପିଲାଙ୍କୁ ବୁଝାଇ ସେମାନେ କେମିତି ସ୍କୁଲ ଫେରିବେ, ସେନେଇ ସଚେତନତା କରାଯିବ ।