ଓଡ଼ିଆ ଅସ୍ମିତା ରକ୍ଷା ଦିଗରେ ସରକାରଙ୍କ କୌଣସି ଆନ୍ତରିକତା ନାହିଁ

ନନ୍ଦିଘୋଷ ବ୍ୟୁରୋ: ସଙ୍କଟରେ ଓଡ଼ିଶାର ଭାସ୍କର୍ଯ୍ୟ। କଳା ଓ କଳାକାର ଉଭୟ ଆଶା ଆଶଙ୍କାରେ । ଓଡ଼ିଆ ଅସ୍ମିତା କଥା ସରକାର ବାରମ୍ବାର କହୁଛନ୍ତି । ଓଡ଼ିଶାର କଳା, ସଂସ୍କୃତି, ଭାସ୍କର୍ଯ୍ୟ ଅସ୍ମିତାର ପରିଚୟ ହୋଇଥିଲେ ବି ସରକାରଙ୍କ ପ୍ରୋତ୍ସାହନ ଅଭାବ ଏହି ଶିଳ୍ପକୁ ରୁଗଣ କରୁଛି। କଞ୍ଚାମାଲ ଯୋଗାଣ ଠାରୁ ଆରମ୍ଭ କରି ମାର୍କେଟ ଲିଙ୍କେଜ, ବୈଷୟିକ ଜ୍ଞାନ କୌଶଳ, ଡିଜାଇନ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ଅଭିଯୋଗ କରିଛନ୍ତି ପଦ୍ମ ବିଭୂଷଣ ଭାସ୍କର୍ଯ୍ୟ ଶିଳ୍ପୀ ଗୁରୁ ସୁଦର୍ଶନ ସାହୁ। କେବଳ ପଥର କାରିଗର ନୁହଁନ୍ତି, ହସ୍ତତନ୍ତ କାରିଗର ମଧ୍ୟ ଅନେକ ସମସ୍ୟାରେ ଅଛନ୍ତି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଏ ବାବଦରେ ରାଜ୍ୟ ସରକାରଙ୍କ ସହ କଥା ହେବେ ବୋଲି କହିଛନ୍ତି ।
ରାଜ୍ଯ ସରକାରଙ୍କ ଅସ୍ମିତା କେବଳ ଏକ ସ୍ଲୋଗାନ । ଓଡ଼ିଆ ଅସ୍ମିତା ରକ୍ଷା ଦିଗରେ ସରକାରଙ୍କ କୌଣସି ଆନ୍ତରିକତା ନାହିଁ । ତାର ପ୍ରମାଣ ହେଲା ପଥର ଶିଳ୍ପ ଓ କାରିଗରଙ୍କ ଭାଗ୍ଯ । ସେମାନଙ୍କ ଭାଗ୍ଯ ଏବେ ପଥର ତଳେ । ସଙ୍କଟରେ ପଡିଯାଇଛି ପଥର ଶିଳ୍ପ ଓ କାରିଗର। କୋଣାର୍କରେ ପଥରର କାରିଗରୀ ପାଇଁ ଓଡ଼ିଶା ଅନ୍ତଜାର୍ତୀୟ ସ୍ତରରେ ପରିଚୟ ପାଇଥିଲେ ବି ଏବେ ଏହା ରୁଗଣ ଅବସ୍ଥାରେ। ୧୩ଶହ ଶତାବ୍ଦୀର ଭାସ୍କର୍ଯ୍ୟ ପ୍ରତି ସରକାରଙ୍କ ଉଦାସୀନତା ଯୋଗୁଁ ପଥର ଖୋଦେଇ ଶିଳ୍ପ ବୁଡିବାକୁ ବସିଲାଣି। କାରଣ ସରକାର ଯାହା କହୁଛନ୍ତି, ତାହା କରୁନାହାନ୍ତି। ପ୍ରତିଶୃତି ଦେଉଛନ୍ତି, ହେଲେ କିଛି ବି ପାଳନ କରୁନାହାନ୍ତି । ପଥର ଖୋଦେଇ କାରିଗରଙ୍କ ପାଇଁ ସୁଲଭ ମୂଲ୍ୟରେ କଞ୍ଚାମାଲ ଯୋଗାଣ ଠାରୁ ଆରମ୍ଭ କରି ଏଥିପାଇଁ ଋଣ ବ୍ୟବସ୍ଥା, ମାର୍କେଟିଙ୍ଗ ବ୍ୟବସ୍ଥା, ଶିଳ୍ପୀ ସଂଘର ଅସୁବିଧା, ଭାସ୍କର୍ଯ୍ୟ ଶିଳ୍ପରେ ଟେକ୍ନୋଲୋଜିର ବ୍ୟବହାର, ଡିଜାଇନ ପାଇଁ ପ୍ରୋତ୍ସାହନ ବାବଦରେ ରାଜ୍ୟ ସରକାର କିଛି କରୁନାହାନ୍ତି । ଏଭଳି ଚାଲିଲେ ଓଡ଼ିଆ ଅସ୍ମିତାର ପ୍ରତୀକ ଭାସ୍କର୍ଯ୍ୟ ଶିଳ୍ପ ଇତିହାସ ହୋଇଯିବ ବୋଲି କ୍ଷୋଭର ସହ କହିଛନ୍ତି ପଦ୍ମ ବିଭୂଷଣ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ।
ସାଧାରଣତଃ ଶକ୍ତ ଗ୍ରାନାଇଟ୍, ଶକ୍ତ ବାଲି ପଥର, କଳା ମୁଗୁନି ପଥର ଖଣ୍ଡରୁ ଜୀବନ୍ତ ପ୍ରତିମୂର୍ତ୍ତି ପ୍ରସ୍ତୁତ କରିଥାଏ କାରିଗର। ବିଭିନ୍ନ ଦେବଦେବୀଙ୍କ ପଥର ମୂର୍ତ୍ତି, ଶିଳ, ଚନ୍ଦନ ପେଡ଼ି ଭଳି ଘରକରଣା ଦ୍ରବ୍ୟ ସହିତ ସୌନ୍ଦର୍ଯ୍ୟ ପାଇଁ ବିଭିନ୍ନ ଡିଜାଇନର ପଥର ଖଣ୍ଡର ଚାହିଦା ଅନେକ। ଏହାକୁ ପ୍ରସ୍ତୁତ କରିବାକୁ ଶିଳ୍ପୀକୁ ମାସ, ବର୍ଷ ଧରି ସମୟ ଲାଗିଥାଏ । ହେଲେ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁଁ କାରିଗରଟିଏ ମଜୁରୀ ବି ଠିକ୍ ଢଙ୍ଗରେ ପାଏନାହିଁ। ରାଜ୍ୟର ପଥର ଶିଳ୍ପୀମାନଙ୍କ ସମସ୍ୟା ବାବଦରେ ମୁହଁ ଖୋଲିଛନ୍ତି ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ। ସରକାରଙ୍କୁ ଅପିଲ କରିଛନ୍ତି, ଯଦି ଅସ୍ମିତା ବଞ୍ଚାଇବା କଥା କୁହାଯାଉଛି, ତାହାଲେ ପଥର ଶିଳ୍ପକୁ ବଞ୍ଚାଇବାକୁ ପଡ଼ିବ। ଭୁବନେଶ୍ବରର ସୁଦର୍ଶନ ଆର୍ଟ ଏଣ୍ଡ କ୍ରାଫ୍ଟ ଭିଲେଜକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପରିଦର୍ଶନ ସମୟରେ ତାଙ୍କ ଦୃଷ୍ଟି ବି ଆକର୍ଷଣ କରାଯାଇଛି । ଶିଳ୍ପ ଓ ଶିଳ୍ପୀଙ୍କ ସୃଷ୍ଟିକୁ ମନ୍ତ୍ରୀ ପ୍ରଶଂସା କରିଥିବା ବେଳେ ଏହା ରାଜ୍ୟ ସରକାରଙ୍କ ବ୍ୟାପାର ବୋଲି କହିଛନ୍ତି।
ଦଶନ୍ଧି ଦଶନ୍ଦି ଧରି ଭାସ୍କର୍ଯ୍ୟ ଶିଳ୍ପରେ ନିୟୋଜିତ ଶିଳ୍ପୀମାନଙ୍କ ବୟସ ହେବା ପରେ ସେମାନଙ୍କୁ ପେନସନ ଦେବା କଥା ସରକାର ଯେପରି ଭୁଲି ଯାଇଛନ୍ତି । କଳାକାର ଭତ୍ତା, ସେମାନଙ୍କ ପାଇଁ ସ୍ବାସ୍ଥ୍ୟ ବୀମା, ସ୍ବତନ୍ତ୍ର ପ୍ରୋତ୍ସାହନ ରାଶି କଥା ସରକାରଙ୍କ ପ୍ରତିଶୃତି ପ୍ରତାରଣା ପାଲଟିଛି ବୋଲି ଅଭିଯୋଗ ହେଉଛି।