ପ୍ରବାସୀ ଭାରତୀୟ ସମ୍ମିଳନୀରେ ହଜିଗଲା ଓଡିଆ ଅସ୍ମିତା, ଗାନ ହେଲାନି ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ବର/କଟକ : ଓଡ଼ିଆ ଅସ୍ମିତା କଥା କହି ଶାସନକୁ ଆସିଥିଲା। ହେଲେ ବିଶ୍ବସ୍ତରୀୟ ମଞ୍ଚରେ ଦଳିଚକଟି ଫୋପାଡିଦେଲା ବିଜେପି। ପ୍ରବାସୀ ଭାରତୀୟ ସମ୍ମିଳନୀରେ ଓଡ଼ିଆ ଅସ୍ମିତା ଓ ରାଜ୍ୟର ସମ୍ମାନ ବହନ କରୁଥିବା ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଗଲା ନାହିଁ। ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଉତ୍କଳ ସମ୍ମିଳନୀ। ଖୋଦ୍ ଓଡିଶାରେ ଏତେ ବଡ଼ ସମ୍ମିଳନୀ ହୋଇଥିଲେ ବି ରାଜ୍ଯ ସରକାର ଓଡ଼ିଆ ଅସ୍ମିତା ପ୍ରତି କରିଛନ୍ତି କୁଠାରାଘାତ। ଏସମ୍ପର୍କରେ ତୁରନ୍ତ ସ୍ପଷ୍ଟୀକରଣ ଦେବାକୁ ଦାବି କରିଛି ଉତ୍କଳ ସମ୍ମିଳନୀ। ଆନ୍ଧ୍ର ଓ ତାମିଲନାଡୁ ଆଦି ରାଜ୍ୟରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ରାଜ୍ୟ ସଙ୍ଗୀତ ଗାନ ହୁଏ। ହେଲେ ଏହାକୁ ଫୁ କରିଛନ୍ତି ସରକାର। ଏହା ସହ ଓଡ଼ିଆ ଭାଷାର ବହୁଳ ବ୍ୟବହାର ଓ ସୀମା ସୁରକ୍ଷାରେ ସରକାରଙ୍କ ଆନ୍ତରିକତା କଥା ଉଠାଇଛି ସମ୍ମିଳନୀ। ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଓଡିଶା ହୋଇଥିବା ବେଳେ ବନ୍ଦେ ଉତ୍କଳ ଜନନୀକୁ ସରକାର ସମ୍ମାନ ଓ ମର୍ଯ୍ୟାଦା ଦେବା କଥା। କିନ୍ତୁ ତାହା ନହେବା ଲଜ୍ଜାଜନକ ବୋଲି କହିଛି ଓଡ଼ିଆ ଅସ୍ମିତା ପରିଷଦ।
ସେପଟେ କଂଗ୍ରେସ ଓ ବାମପନ୍ଥୀ ଦଳ ବି ଏହାକୁ କରିଛନ୍ତି ସମାଲୋଚନା। ବିଜେପି ସରକାର ଓଡ଼ିଆ ଅସ୍ମିତାକୁ ସୁରକ୍ଷା ଦେବା ପରିବର୍ତ୍ତେ ଅପମାନ କରିବା ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ କହିଛି। ନବୀନ ପଟ୍ଟନାୟକଙ୍କ ସମୟରେ ଆନ୍ତର୍ଜାତିକ ସମ୍ମିଳନୀରେ ରାଜ୍ୟ ସଙ୍ଗୀତ ଗାନ କରାଯାଇଥିଲା। କିନ୍ତୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏବେ ବିଦେଶୀ ପାଲଟି ଯାଇଛନ୍ତି। ଓଡ଼ିଆ ଅସ୍ମିତା ବିଜେପିର ଏକ ନିର୍ବାଚନ ଚାଲ୍ ଥିବା ବୋଲି କହିଛନ୍ତି ବାମପନ୍ଥୀ ନେତା। ରାଜ୍ୟର ସ୍ୱାର୍ଥ ସମ୍ବଳିତ ମହାନଦୀ, ପୋଲାଭରମ ପ୍ରସଙ୍ଗ ଓ କୋଟିଆ ପ୍ରସଙ୍ଗରେ ବି ରାଜ୍ଯ ବିଜେପି ସରକାର ଚୁପ୍।