ଘୋଷଣାରେ ଅଟକିଛି ଓଡ଼ିଆ ଅସ୍ମିତା

ଘୋଷଣାରେ ଅଟକିଛି ଓଡ଼ିଆ ଅସ୍ମିତା । ସବୁଠି ଇଂରାଜୀ ଓ ହିନ୍ଦୀରେ ଲେଖାଯାଉଛି ବୋର୍ଡ । ସରକାରୀ ବିଜ୍ଞାପନ ହେଉ କି କାର୍ଯ୍ୟାଳୟ, ସବୁଠି ଓଡ଼ିଆ ଭାଷାକୁ ଉପେକ୍ଷା । ଶୋଭାଯାତ୍ରା କରି କଡ଼ାକଡ଼ି ଲାଗୁ କରିବାକୁ ଦାବି । ରାଉରକେଲାରେ ସହରରେ ଲାଗିଥିବା ଏସବୁ ନାମ ଫଳକ ଉପରେ ଟିକିଏ ନଜର ପକାନ୍ତୁ । ସରକାରୀ ବେସରକାରୀ କାର୍ଯ୍ୟାଳୟ ହେଉ କି ବ୍ଯବସାୟିକ ପ୍ରତିଷ୍ଠାନ, ଓଡ଼ିଆକୁ ସତେଯେପରି ଭୁଲିଗଲେଣି ଲୋକେ । ଓଡିଆରେ ନାମ ଫଳକ ଓ ସୂଚନା ଫଳକ ଲଗାଇବା ବାଧ୍ୟତାମୂଳକ କରାଯାଇଥିଲେ ସୁଦ୍ଧା ପ୍ରଶାସନର ଅବହେଳାରୁ ଏହାକୁ କଡ଼ାକଡ଼ି ଲାଗୁ କରାଯାଇ ପାରୁନାହିଁ । ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ଉତ୍କଳ ସମ୍ମିଳନୀ ପକ୍ଷରୁ ସହରରେ ଶୋଭାଯାତ୍ରା କରି ସଚେତନ କରିବା ସହ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଦାବି ହୋଇଛି ।

ରାଉରକେଲା ସହରର ବିଶ୍ରା ଛକ ଠାରୁ ଉଦିତନଗର ଆମ୍ବେଦକର ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଶୋଭାଯାତ୍ରାରେ ରାଉରକେଲା ବିଧାୟକ, ରଘୁନାଥପାଲ୍ଲି ବିଧାୟକଙ୍କ ସହ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ନିୟମ ପାଳନ ହେଉନଥିବାରୁ କଡ଼ାକଡ଼ି ପାଳନ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ରଘୁନାଥପାଲ୍ଲି ବିଧାୟକ କହିଛନ୍ତି ।