ଦିନିକିଆ କ୍ରିକେଟ ବିଶ୍ୱକପ୍: ଏହି ଦିନ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

1 min read

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଅନୁଷ୍ଠିତ ହେବ ଦିନିକିଆ ବିଶ୍ୱକପ । ଦିନିକିଆ ବିଶ୍ୱକପକୁ ଏବେ ସାମ୍ନାକୁ ଆସିଛି ଏକ ବଡ଼ ଖବର । କ୍ରିକବଜର ଏକ ରିପୋର୍ଟ ଅନୁସାରେ ଅକ୍ଟୋବର ୫ରୁ ଆରମ୍ଭ ହେବ ଦିନିକିଆ ବିଶ୍ୱକପ । ବିଶ୍ୱକପର ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ତେବେ ବିଶ୍ୱକପର ଫାଇନାଲ ମ୍ୟାଚ୍ ନଭେମ୍ବର ୧୯ରେ ଖେଳାଯିବ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି ।

ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ତା’ର ଅଭିଯାନ ପାଞ୍ଚ ଥରର ଚମ୍ପିଆନ ଅଷ୍ଟ୍ରେଲିଆ ବିପକ୍ଷରୁ ଆରମ୍ଭ କରିବ । ତେବେ କ୍ରିକେଟର ଏହି ମହାକୁମ୍ଭରେ ସମସ୍ତଙ୍କ ନଜର ରହିଛି ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ । ଅକ୍ଟୋବର ୧୫ରେ ଭାରତ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବାର ସମ୍ଭାବନା ରହିଛି । ଏହା ସହ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଓ ଫାଇନାଲ ମ୍ୟାଚ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହୋଇପାରେ ।

କ୍ରିକବଜ୍ ଏହା ମଧ୍ୟ ନିଶ୍ଚିତ କରିଛି ଯେ ଦିନିକିଆ ବିଶ୍ୱକପ ପାଇଁ ପାକିସ୍ତାନ ଭାରତ ଗସ୍ତ କରିବାକୁ ରାଜି ହୋଇଛି । କିନ୍ତୁ ପାକିସ୍ତାନ ଅହମ୍ମଦାବାଦରେ ଗ୍ରୁପ୍ ମ୍ୟାଚ୍ ଖେଳିବାକୁ ଚାହୁଁନାହିଁ । ସୂଚନା ଅନୁସାରେ ପାକିସ୍ତାନ ତା’ର ମ୍ୟାଚ୍ ଅହମ୍ମଦାବାଦ, ହାଇଦ୍ରାବାଦ, ଚେନ୍ନାଇ ଓ ବେଙ୍ଗାଲୁରୁରେ ଖେଳିବ । ଚଳିତ ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ୧୦ଟି ଭାଗ ନେବେ । ସେଥିମଧ୍ୟରୁ ୮ଟି ଦଳ ସିଧାସଳଖ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହି ୮ଟି ଦଳ ହେଉଛନ୍ତି ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ ଏବଂ ଦକ୍ଷିଣ ଆଫ୍ରିକା । ଅବଶିଷ୍ଟ ଦୁଇଟି ଦଳ ଜିମ୍ବାଓ୍ୱେରେ ହେବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟରେ ମାଧ୍ୟମରେ ନିଷ୍ପତ୍ତି ନିଆଯିବ ।