ସାହିନବାଗ ଭଳି ସର୍ବସାଧାରଣ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଗ୍ରହଣୀୟ ନୁହେଁ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସର୍ବସାଧାରଣ ସ୍ଥାନ ଲମ୍ବା ଅବଧି ଧରି ଅବରୋଧ ରହିପାରିବନି । ଏହାଦ୍ୱାରା ଜୀବନ ଜୀବିକା ଗୁରୁତର ପ୍ରଭାବିତ ହେଉଛି । ତେଣୁ ସର୍ବସାଧାରଣ ସ୍ଥାନରେ ସମାବେଶ ତଥା ବିକ୍ଷୋଭ ପ୍ରଦର୍ଶନ ଗ୍ରହଣୀୟ ନୁହଁ । ନାଗରିକ ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀ ସାହିନବାଗରେ ଚାଲିଥିବା ପ୍ରଦର୍ଶନକୁ ନେଇ ସୁପ୍ରିମକୋର୍ଟ ଏପରି ବଡ଼ ରାୟ ଶୁଣାଇଛନ୍ତି । ସାର୍ବଜନୀନ ସ୍ଥାନରେ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ପ୍ରଦର୍ଶନ କରିବା ବିପକ୍ଷରେ ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସାର୍ବଜନୀନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହୋଇ ପାରିବ ନାହିଁ । ଏହା ସାହିନବାଗ ହେଉ ବା ଅନ୍ୟ କେଉଁଠି, ସର୍ବସାଧାରମ ସ୍ଥାନରେ ପ୍ରଦର୍ଶନ କରିବା ବେଆଇନ ବୋଲି କହିଛନ୍ତି କୋର୍ଟ ।
ଲୋକଙ୍କ ବିରୋଧ ପ୍ରଦର୍ଶନ ଅଧିକାର ଆଳରେ କୌଣସି ସ୍ଥାନରେ ମାସ ମାସ ରାସ୍ତା ବ୍ଲକ କରି ରଖିବା ଆଦୌ ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି । ଏଥିପାଇଁ ନିର୍ଦ୍ଧାରିତ ସ୍ଥାନ ରହିଛି । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ଉଚିତ ବୋଲି କୋର୍ଟ ରାୟ ଶୁଣାଇଛନ୍ତି । ଶାହିନବାଗରେ ପ୍ରଦର୍ଶନ କରିବା ଦ୍ୱାରା ଲୋକଙ୍କ ଦୈନନ୍ଦିନ କାର୍ଯ୍ୟକଳାପରେ ଏହାର ପ୍ରଭାବ ପଡିଛି । ଏପରିକି ଯାତାୟାତ ପ୍ରଭାବିତ ହୋଇଛି । ତେଣୁ ବିରୋଧ ଓ ଲୋକଙ୍କ ଅଧିକାର ମଧ୍ୟରେ ସନ୍ତୁଳନ ରହିବା ଜରୁରୀ ।
ସୂଚନା ଯୋଗ୍ୟ ଯେ, ୨୦୧୯ ରେ କେନ୍ଦ୍ର ସରକାର ସଂସଦରେ ନାଗରିକତା ସଂଶୋଧନ ବିଧେୟକ ପାସ କରିଥିଲେ । ଯାହାଦ୍ୱାରା ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସିଥିବା ସଂଖ୍ୟାଲଘୁଙ୍କୁ ନାଗରିକତା ଦେବାର ପ୍ରାବଧାନ ରହିଛି । ଏହାକୁ ନେଇ ଦିଲ୍ଲୀ ଶାହିନବାଗଠାରୁ ଧରି ଦେଶର ଅନେକ ଅଞ୍ଚଳରେ ମାସ ମାସ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଶାହିନବାଗରେ ଡିସେମ୍ବରଠାରୁ ମାର୍ଚ୍ଚ ଏପରିକି କରୋନା ଲକଡାଉନ ଜାରି ପର୍ଯ୍ୟନ୍ତ ରାସ୍ତାରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏବେ ସ୍ଥିତି ସ୍ବାଭାବିକ ଆଡକୁ ଗତି କରୁଥିବାରୁ ଆନ୍ଦୋଳନକାରୀ ବିକ୍ଷୋଭ ପାଇଁ ପୁଣି ସଜବାଜ ହେଉଥିବା ସୂଚନା ରହିଛି । ଏହାକୁ ନେଇ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ କରାଯାଇଥିଲା । ଯାହାର ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ ।