ଧଉଳିରେ ରୋପ-ଓ୍ୱେ କାମ କରିବାରେ ଓସିସି ଅସମର୍ଥ, ବାତିଲ ହେଲା ଟେଣ୍ଡର

1 min read

ଭୁବନେଶ୍ୱର,(ପ୍ରିୟ ପ୍ରୀତମ ମହାନ୍ତି): ଓଡ଼ିଶା ନିର୍ମାଣ ନିଗମର ଧୀମା ଗତି ପାଇଁ ବନ୍ଦ ରହିଲା ଧଉଳି ରୋପ-ଓ୍ୱେ ପ୍ରକଳ୍ପ । ଦେଢ ବର୍ଷ ତଳେ ରୋପ-ଓ୍ୱେ ନିର୍ମାଣ ପାଇଁ ଓସିସିକୁ ଟେଣ୍ଡର ଦେଇଥିଲା ରାଜ୍ୟ ପର୍ଯ୍ୟଟନ ବିଭାଗ । ହେଲେ ଭିତ୍ତିପ୍ରସ୍ତରରେ ଛଡ଼ା କାମ ଏକ ପ୍ରତିଶତ ବି ଆରମ୍ଭ ହୋଇପାରିଲା ନାହିଁ । ଯେଉଁଥି ପାଇଁ ଓସିସିର ଟେଣ୍ଡର ବାତିଲ କରିବା ସହ ପ୍ରକଳ୍ପ ସ୍ଥଗିତ ରହିଲା ।

କାମ ଆରମ୍ଭ ହୋଇ ନଥିବାରୁ ପ୍ରକଳ୍ପ ଖର୍ଚ୍ଚ କୋଭିଡ ପରିଚାଳନାରେ ଲଗାଯିବା ସହ ସ୍ଥିତି ସୁଧୁରିଲେ ପୁଣି ଟେଣ୍ଡର ହେବ । ଓସିସିର ତ୍ରୁଟି ଯୋଗୁ ରୋପ-ଓ୍ବେ କାମ ଅନିଶ୍ଚିତତା ଆଡ଼କୁ ଠେଲି ହୋଇଯାଇଛି । ୨୦୧୯ ମସିହା ମାର୍ଚ୍ଚ ୭ ତାରିଖ । ଧଉଳିରେ ରୋପ-ଓ୍ୱେ ନିର୍ମାଣ କରିବା କାମ ହାତେଇଲା ଓସିସି । ତା’ ପର ଦିନ ହେଲା ଶିଳାନ୍ୟାସ ।

ହେଲେ ଦେଢ ବର୍ଷ ପାଖାପାଖି ବିତିଗଲା ସିନା, କାମ ଆରମ୍ଭ ହୋଇ ପାରିଲା ନାହିଁ । ପ୍ରକଳ୍ପ କାମ ନ ହୋଇପାରିବାରୁ, ବ୍ୟୟ ଅଟକଳ କୋଭିଡ ପରିଚାଳନା ପାଇଁ ଗଲା । ଓସିସିର ଧୀମା ଆଚରଣ ପାଇଁ ଟେଣ୍ଡରକୁ ବାତିଲ କରାଯାଇଛି । କୋଭିଡ ସମୟରେ ନୂଆ ପ୍ରକଳ୍ପ ହୋଇପାରିବ ନାହିଁ ବୋଲି ପୂର୍ବରୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଯେହେତୁ ଓସିସି କାମ ଆରମ୍ଭ କରି ନଥିଲା, ଏହାକୁ ବି ସ୍ଥଗିତ ରଖାଯାଇଛି ।

କାମ ଆରମ୍ଭ କରିବାକୁ ୪ କୋଟି ଟଙ୍କା ଅଗ୍ରୀମ ରାଶି ନେଇଥିଲା ଓସିସି । ଯାହାକୁ ଫେରାଇବା ପାଇଁ ଓସିସିକୁ ପତ୍ର ଲେଖିଛି ପର୍ଯ୍ୟଟନ ବିଭାଗ । କୋଭିଡ ସରିବା ପରେ ସେ ସମୟର ଆର୍ଥିକ ସ୍ଥିତି ଦେଖି ପୁଣି ରୋପ-ଓ୍ବେ କାମ ପାଇଁ ଟେଣ୍ଡର କରାଯାଇପାରେ । ହେଲେ ତାହା ନିଶ୍ଚିତ ହୋଇ ନାହିଁ । ଧଉଳୀରେ ରୋପ-ଓ୍ୱେ କାମ ପାଇବା ପରରେ ଓସିସି କୁଆଡ଼େ ୪ ଥର ଟେଣ୍ଡର କରିଥିଲା ।

https://www.youtube.com/watch?v=Wcp-4NPm-Hs

ହେଲେ କୌଣସି କାରଣରୁ କାହାକୁ କାମ ଦେଇ ପାରିନଥିଲା । ଏହା ସତ୍ତ୍ୱେ ପୁଣି ଥରେ ବିଚାର କରିବା ପାଇଁ ପର୍ଯ୍ୟଟନ ବିଭାଗ ପାଖରେ ଗୁହାରୀ ହୋଇଥିବା ସୂଚନା ମିଳିଛି । ତେବେ ରୋପ-ଓ୍ୱେ କାମ ବନ୍ଦ ହେବାରୁ ଧଉଳୀ ବାସିନ୍ଦା ନିରାଶ ହୋଇଛନ୍ତି । ମିଳିଥିବା ଖବର ଅନୁସାରେ, କାମ କରିବାରେ ଓସିସି ଧୀମା ଆଚରଣ ଯୋଗୁ ପର୍ଯ୍ୟଟନ ବିଭାଗ ଅସନ୍ତୋଷ ଅଛି । କେନ୍ଦ୍ର ସଂସ୍ଥା ଦ୍ୱାରା ଧଉଳିରେ ରୋପ-ଓ୍ବେ କରିବାକୁ ବିଭାଗ ଚିନ୍ତା କରୁଛି । ଏଥିପାଇଁ ଦୁଇଟି କେନ୍ଦ୍ରୀୟ ସଂସ୍ଥା ନିଜ ଆଡ଼ୁ ଆବେଦନ ବି କରିଥିବା ସୂଚନା ମିଳିଛି ।

Leave a Reply